ଭୁବନେଶ୍ୱର: ବ୍ୟାଙ୍କ୍ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର । ସ୍ୱାଭାବିକ ହେବ ବ୍ୟାଙ୍କ୍ ସେବା । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବୁଧବାର ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯିବ । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
ଖୁବଶୀଘ୍ର ସ୍ୱାଭାବିକ ହେବ ବ୍ୟାଙ୍କ୍ ସେବା । ବିଦ୍ୟୁତ ସଂଯୋଗ ନଥିବାରୁ ବ୍ୟାଙ୍କ୍ ସେବା ଠପ୍ ହୋଇଯାଇଥିବା ବେଳେ ଏନେଇ ବୁଧବାର ସୁଦ୍ଧା ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ବିଦ୍ୟୁତ ମରାମତି ପାଇଁ ୫୦୦ ଗ୍ୟାଙ୍ଗ ଓ ୫୦୦ ଅଫିସର ନିୟୋଜିତ ଅଛନ୍ତି । କାମକୁ ତୀବ୍ର କରିବା ପାଇଁ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲଙ୍ଗାନାରୁ କୁଶଳୀ କାରିଗର ନିୟୋଜିତ କରାଯିବ । ଏହା ପରେ ଖୁବ୍ କମ୍ ଦିନ ମଧ୍ୟରେ ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଗୁଡ଼ିକର ଶାଖାକୁ ବିଦ୍ୟୁତ ସଂଯୋଗ ହେବା ପରେ ଏଠାରେ କାମ ସ୍ୱାଭାବିକ ହୋଇଯିବ । ଫୋନି ପରେ ବ୍ୟାଙ୍କରେ ବିଦ୍ୟୁତ ଓ ଇଣ୍ଟରନେଟ ନଥିବାରୁ ଗ୍ରାହକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ରାଜ୍ୟର ଲକ୍ଷାଧିକ ବେତନଭୋଗୀ ଦରମା ମଧ୍ୟ ପାଇପାରୁ ନାହାନ୍ତି । ଏନେଇ ବ୍ୟାଙ୍କ୍ ସେବା ଆରମ୍ଭ କରିବାକୁ ଅତ୍ୟାବଶ୍ୟକ ବିଦ୍ୟୁତ ସଂଯୋଗ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
