ଭୁବନେଶ୍ୱର: ପଲିଟିକାଲ ଲିଙ୍କ ଆଗରେ ହାର ମାନିଲା ପୋଲିସ ପ୍ରସାଶନ। ତେବେ କଥା ଉଠୁଛି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ବି ଚାଷୀଙ୍କୁ ରାଜଧାନୀକୁ ପଶାଇଦେଉ ନଥିବା ପୋଲିସ, ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି କାହିଁକି । ସହିଦନଗର ଥାନା ଭଙ୍ଗାରୁଜା ଓ ପୋଲିସକୁ ମାଡ ମରା ଘଟଣା । ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତରେ ମାତ୍ର ତିନି ଜଣ ଅଭିଯୁକ୍ତ । ତେବେ ଥାନାରେ ଦବଙ୍ଗଗିରି ଦେଖେଇଥିବା ଅନେକ ଯୁବକ ଶାସକ ଦଳର ପଦ ପଦବୀରେ ଥିବା ସୂଚନା ମିଳୁଛି ।
ପୋଲିସ ପାଇଥିବା ଅପମାନ ଆଗରେ ପଲିଟିକାଲ ପ୍ରେସରର ପାଇଁ ପୋଲିସ ପଛଘୁଞ୍ଚା ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କିଛି ପୁରୁଣା ଫୋଟୋ ଉପରେ ନଜର ପକାନ୍ତୁ । ଏହି ଫୋଟୋ ହିଁ କହିବ ଥାନା ଭିତରେ ପଶି ତୁମୁଳକାଣ୍ଡ ଭିଆଁଇଥିବା ଏହି ଯୁବକ ମାନଙ୍କ ପଲିଟିକାଲ ଲିଙ୍କ । ଏମାନଙ୍କ ଭିତରେ କିଛି ପପୁଲାର ଛାତ୍ର ଓ ଯୁବ ନେତା ଥିବା ସୂଚନା ମଧ୍ୟ ମିଳିଛି । ପ୍ରକାଶ ତ୍ରିପାଠୀ,କଳ୍ପତରୁ ଓଝା,ଅମିତ ଜେନା,କେଦାର ସ୍ୱାଇଁ, ଚେତନ ଜେନା,ଅନନ୍ତ ରେଡି,ଲୋକେଶ କୁମାର ଆଦି ପ୍ରମୁଖ ଛାତ୍ର ଓ ଯୁବ ନେତା ଥିବା ସୂଚନା ମିଳୁଛି । ତେବେ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି ।
କେରାଣ୍ଡି ଧରି ଇଲିସ କଥା ଭୁଲାଇବାକୁ ଚେଷ୍ଟା କରୁଛିକି ପୋଲିସ । ଶାସକ ଦଳର କାର୍ଯ୍ୟକ୍ରମରେ ତତ୍ପରତା ପ୍ରକାଶ କରୁଥିବା କମିଶନରେଟ ପୋଲିସ ବଡ ମାଛ ଧରିବାରେ ଅସଫଳ କାହିଁକି । ଥାନାକୁ କିଛି କ୍ଷଣ ପାଇଁ କାଶ୍ନିର ଭାବିନେଇଥିବା ଯୁବକଙ୍କ ନାଁରେ ଆଗରୁ ଅନେକ ମାମଲା ରହିଥିବା କଥା ମଧ୍ୟ ପୋଲିସ ସୂଚନା ଦେଇଛି । ତେବେ ପ୍ରଶ୍ନ ଉଠୁଛି ଅପରାଧିକ ସ୍ୱାଭାବ ଥିବା ଛାତ୍ର ଓ ଯୁବ ନେତାଙ୍କୁ ପଦ ପଦବୀ ଦିଆଯାଉଥିବା କଥା ଦଳର ମୁଖିଆଙ୍କ ନଜରରେ ଅଛିକି । ତେବେ ଘଟଣାର ଖଳନାୟକ ପ୍ରକାଶ ତ୍ରପାଠୀ ବେଲି ନିଜେ ସ୍ୱିକାର କରୁଥିବା ପୋଲିସ ପ୍ରକାଶକୁ ଧରିବାରେ ବିଫଳ କାହିଁକି । ପୋଲିସ ବିଳମ୍ୱ କରି ନିଜର ଅପରାଗତାକୁ ଦର୍ଶେଇବା ପାଇଁ ଚାହୁଁଛି କି । ଅପରପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।
