ସମ୍ବଲପୁର: ସୁଇପର ଓ ଆଟେଣ୍ଡାଣ୍ଟଙ୍କ ହାତରେ ଚିକିତ୍ସା ବ୍ୟବସ୍ଥା । ତାହା ପୁଣି କୌଣସି ଉପାନ୍ତ ଅଂଚଳ କିମ୍ବା ପିଏସ୍ସି ନୁହେଁ । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ରୋଗୀଙ୍କ ଗଭୀର କ୍ଷତସ୍ଥାନକୁ ଷ୍ଟିଚ୍ କରୁଛନ୍ତି ଜଣେ ସୁଇପର । ଆଶ୍ଚର୍ଯ୍ୟ କଥା ହେଉଛି ଯେ, ଏହି ଭିଡିଓ ମୋବାଇଲରୁ ମୋବାଇଲ ଏପରିକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ଖୋଦ୍ ସିଡିଏମଓ ଏ ସଂପର୍କରେ ଜାଣିନାହାଁନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗୁରୁତରଙ୍କୁ କେଉଁ ପରିସ୍ଥିତିରେ ସୁଇପର ଓ ଆଟେଣ୍ଡାଣ୍ଟ ଚିକିତ୍ସା କଲେ ? କିଏ ତାଙ୍କୁ ଏଥିପାଇଁ ଅନୁମତି ଦେଲା ? ଡାକ୍ତରମାନେ ଯାଇଥିଲେ କୁଆଡେ ? ରୋଗୀ ଜଣଙ୍କ ଆସିବା ସମୟରେ ନର୍ସ କିମ୍ବା ଫାର୍ମାସିଷ୍ଟ କଣ କରୁଥିଲେ ? ଯଦି ରୋଗୀଙ୍କର କୌଣସି ସଂକ୍ରମଣ ଜନିତ ରୋଗ ହୁଏ, ତା ହେଲେ ସେଥିପାଇଁ ଦାୟୀ ରହିବ କିଏ ? ଏନେଇ ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
