ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା। ୨୦୨୩ ମସିହାର ସାଂସ୍କୃତିକ ଐତିହ୍ୟ(ଇନ୍ଟାଞ୍ଜିବଲ୍ ହେରିଟେଜ୍) ତାଲିକାରେ ସ୍ଥାନ ପାଇବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ଏହି ମାନ୍ୟତା ପାଇଁ ୟୁନେସ୍କୋର ଆବଶ୍ୟକ ନିର୍ଦ୍ଦେଶାବଳୀ ଅବଲମ୍ବନ ପୂର୍ବକ ରାଜ୍ୟ ସରକାର ଖୁବଶୀଘ୍ର ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ବି ସ୍ବତନ୍ତ୍ର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୭ଜଣଙ୍କ ତାଲିକା ପ୍ରଦାନ କରିଥିବା ଜଣାପଡ଼ିଛି। ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ଦୁଇଜଣ ମଠାଧୀଶ ରହିଛନ୍ତି।ମିଳିଥିବା ସୂଚନା ମୁତାବକ, ଦିଆଯାଇଥିବା ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ଓ ମଣ୍ଟୁ ସିଂହାରୀଙ୍କ ନାଁ ରହିଛି। ସେହିଭଳି ମଠ ପ୍ରତିନିଧି ଭାବେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ ଓ ଝାଞ୍ଜପିଟା ମଠ ମହନ୍ତ ସଚିଦାନନ୍ଦ ଦାସମହାରାଜଙ୍କ ନାଁ ରହିଥିବା ଜଣାପଡ଼ିଛି ।ପରିଚାଳନା କମିଟିରେ ଏନେଇ ଆଲୋଚନା ପରେ ଅନୁମୋଦନ ପ୍ରଦାନ ହେବ ।୧୫ ଦିନ ତଳେ ପରିଚାଳନା କମିଟି ଏନେଇ ଉନ୍ନୟନ ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।ଏହାକୁ ସ୍ୱାଗତ କରିଛନ୍ତି ପରିଚାଳନା କମିଟି ସଦସ୍ୟ ।
ବିଶ୍ୱରେ 40 ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ ଓ କେରଳର ଏକ ପର୍ବ ଭଳି ଦୁଇଟି ଫେଷ୍ଟିଭାଲକୁ ମାନ୍ୟତା ମିଳିଛି। ଆଉ ଏହି ତାଲିକାରେ ଆଗକୁ ଯୋଡି ହେବାକୁ ଯାଉଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତଥ୍ୟ ଭିତ୍ତିକ ଓ ପ୍ରାମାଣିକ ରହିଆସିଛି ।ଏହାର ନିର୍ମାଣ ଶୈଳୀ,ପ୍ରକ୍ରିୟା,ଲୋକ ସମାଗମ ଏହାର ପୌରାଣିକ ତଥ୍ୟ,ପରମ୍ପରାକୁ ନେଇ ୟୁନେସ୍କୋ ମାନ୍ୟତା ପାଇଁ ରେଳବାଇ ପକ୍ଷରୁ ପୂର୍ବରୁ ଚିଠି କରାଯାଇଥିଲା ।ଅନ୍ୟପଟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ 15 ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେଉଥିବାରୁ ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର।ଏହି ଐତିହ ଯାତ୍ରା ୟୁନେସ୍କୋର ସମସ୍ତ ନିୟମାବଳି ଅନୁପାଳନ କରୁଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋକୁ ପୂର୍ବରୁ ଚିଠି ଲେଖାଯାଇଥିଲା।ଏବେ ରାଜ୍ୟସରକାରଙ୍କ ତରଫରୁ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ।