ବନ୍ଧା ପଡିଛି ଜୀବନ
ଅଣସର ଘରେ କାଳିଆ ଠାକୁର, ଜଗା ଦେହରେ ଲାଗିବ ଫୁଲୁରୀ ତେଲ
ପୁରୀ: ଜରରେ ପଡିଛନ୍ତି ଭାଇ ବଳଭଦ୍ର, ଭଉଣୀ ଶୁଭଦ୍ରାଙ୍କ ସହ ଜଗତରନାଥ ଜଗନ୍ନାଥ । ଜରର ଉପଚାର ମଧ୍ୟ କରିବା ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । “ଫୁଲୁରି ତେଲ’ର ପ୍ରସ୍ତୁତି ବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏଥିପାଇଁ ପାଞ୍ଚସେର ରାଶି ତେଲ ଲାଗିଥାଏ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ନବକଳେବର ବର୍ଷରେ ଏହି ତେଲର ପରିମାଣ ଦୁଇଗୁଣ ହୋଇଥାଏ ।
ଅଣସର ପଞ୍ଚମୀର ଏହି ଫୁଲୁରିଲାଗି ପରେ, ଏକାଦଶୀ ଦିନ ‘ଦଶମୂଳ ମୋଦକ’ ଲାଗି ହୁଏ । ଏହି ମୋଦକ ଖାଇବା ପରେ ଠାକୁରମାନେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ଅଛି । ଏଥିପାଇଁ ଶ୍ରୀମନ୍ଦିରରେ “ବୈଦ୍ୟ ସେବା’ର ବ୍ୟବସ୍ଥା ରହିଛି । ଏହା ଅନୁସାରେ, ବୈଦ୍ୟ ସେବକ ବର୍ଷକେ ଥରେ, ଅଣସର (ବା ନବକଳେବରର ମହାଅଣସର) ବେଳେ, ନିଜ ଘରେ ଏହି ମୋଦକ ପ୍ରସ୍ତୁତ କରି ଯୋଗାଇଥାଆନ୍ତି । ଦଶମୀ ଦିନ ଶୁଦ୍ଧପୂତ ଭାବରେ ଏହାକୁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦିଅନ୍ତି ଏବଂ ଏକାଦଶୀ ଦିନ, ଅଣସର ଘରେ ଏହା ଠାକୁରମାନଙ୍କୁ ଲାଗି କରାଯାଏ ।
ଏହି ଦଶମୂଳ ମୋଦକ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦୀୟ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଦଶଟି ବୃକ୍ଷର ଚେର, ମୂଳ ଓ ପତ୍ର ଆଦି ଆବଶ୍ୟକ ହୁଏ । ସେହି ଦଶଟିଦ୍ରବ୍ୟ ହେଉଛି- ବେଲ, ଗମ୍ଭାରୀ, ଅଙ୍କରାନ୍ତି, ଜଟାମାଂସୀ, ଫଣଫଣା, ଆଗବଥୁ, ଗୋଖରା, କୃଷ୍ଣପର୍ଣ୍ଣି (ପ୍ଲଶୀପର୍ଣ୍ଣି), ଶାଳପର୍ଣ୍ଣି ଓ ଲବିଂକୋଳି ।
Download Argus News App
