ପ୍ରତ୍ୟେକ ମଣିଷ ସହ ଜନ୍ମରୁ ପରିଚିତ ବାଇଚଢ଼େଇ । ବହି ହେଉ ବା ମାର ଗୀତ ସବୁଠି ବାଇ ଚଢ଼େଇକୁ ନେଇ ଗଢ଼ା ଭିନ୍ନ ଭିନ୍ନ କାହାଣୀ । ତେବେ ଏହି କାହାଣୀ ସତ ହୋଇଥିଲେ ବି ଆଗକୁ ଏହା ଗପ ହେବାକୁ ଯାଉଛି ।
ଗଞ୍ଜାମ ଜିଲ୍ଲାରେ ଅଧିକ ମାତ୍ରାରେ ତାଳ ଏବଂ ଖଜୁରୀ ଗଛ ଥିବା ସତ୍ତ୍ୱେ ମଧ୍ୟ ବାତ୍ୟାରେ ସବୁ ଗଛ ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣର ପ୍ରଭାବ ଫଳରେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଏହି ବାଇଚଢେଇ ଭଳି ପକ୍ଷୀ । ଯାହା ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
କିଚିରି ମିଚିରି ଶବ୍ଦରେ ଫାଟି ପଡ଼େ ପୁରା ଅଞ୍ଚଳ । ବାଟରେ ଯାଉଥିବା ଲୋକ ବି କିଛି କ୍ଷଣ ପାଇଁ ଠିଆ ହୋଇ ବିରଳ ଦୃଶ୍ୟକୁ ମନଭରି ଉପଭୋଗ କରନ୍ତି । ପ୍ରକୃତିର ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ କାହା ମନ ବା ଅରାଜି ହେବ । ପିଲାଦିନେ ମାର ଗୀତ ଆଉ ବହି ପାଠପଢ଼ାରୁ ସମସ୍ତେ ବେଶ ପରିଚିତ ବାଇଚଢେଇ ସହ।
ତାର ବସା ତିଆରି କରିବାର ଶୈଳୀ ସତେ ଯେମିତି ସମସ୍ତଙ୍କୁ ବିସ୍ମିତ କରିଥାଏ । ବାଇଚଢେଇର ବସା ତିଆରି କରିବାର ସମୟ ପହିଲି ବର୍ଷାର ଆଗମନକୁ ସୂଚାଏ । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ବର୍ଷାର ସ୍ପର୍ଶ ଆଉ ତାସହ ବାଇ ଚଢେଇର ଦୃଶ୍ୟ ମନକୁ ସତେ ଯେମିତି ଦ୍ୱିଗୁଣିତ କରିଥାଏ । ପ୍ରକୃତିରେ ଗଢ଼ା ବାଇଚଢେଇର ବସାକୁ ଦେଖିଲେ ନିଜ ମନ ଭିତରେ କବିର କବିତ୍ଵ ଆପେ ଆପେ ଜାଗି ଉଠେ । ଆଉ ଦିନଯାକର ଅକ୍ଲାନ୍ତ ପରିଶ୍ରମରେ ସାଧାରଣ ମଣିଷ ଭିତରେ ଏକ ଭିନ୍ନ ଉତ୍ସାହ ଜାଗ୍ରତ ହୁଏ ।
ସାଧାରଣତ ବାଇଚଢେଇ ତାଳ କିମ୍ବା ଖଜୁରୀ ଗଛର ଡାଳ ରେ ବସା ବାନ୍ଧିଥାଏ । କାରଣ ଏହି ଗଛ ଗୁଡ଼ିକ ଦୀର୍ଘ ସ୍ଥାୟୀ ଅଟନ୍ତି । କିନ୍ତୁ ପରିବେଶରେ ଦେଖାଯାଉ ଥିବା ଅନିୟମିତତା ଯୋଗୁଁ ବର୍ତ୍ତମାନ ଚଢେଇ ମାନେ ଅନ୍ୟ ଗଛରେ ବସା କରିବା ଆରମ୍ଭ କରିଦେଲେଣି । ଦିନକୁ ଦିନକୁ ତାଳ ଗଛ ଏବଂ ଖଜୁରୀ ଗଛ ହ୍ରାସ ପାଉଥିବାବେଳେ ବାଇଚଢ଼େଇଙ୍କ ସଂଖ୍ୟା ମଧ୍ୟ କମିବାକୁ ବସିଲାଣି । ତେଣୁ ସମୟଥାଉ ଥାଉ ଏସବୁ ଦିଗରେ ଜନସାଧାରଣ ଏବଂ ପ୍ରଶାସନ ସମସ୍ତେ ସଚେତନ ହେବାକୁ ବ୍ରହ୍ମପୁର ଡ଼ିଏଫଓ କହିଛନ୍ତି ।
