ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛଡା ଗ୍ରାମର ସୁଧାଂଶୁ ଜେନାଙ୍କ ପୁଅ ଭବାନୀ ଶଙ୍କର ଜେନା ୧୦ ମାସ ପୂର୍ବରୁ ଦୁନ୍ଦକୋଟ ଗ୍ରାମର ଉମାକାନ୍ତ ଜେନାଙ୍କ ଏକମାତ୍ର ଝିଅ ସୁଭଦ୍ରାଙ୍କୁ ବିବାହ କରିଥିଲେ । ତେବେ ଭବାନୀ ବାହାଘର ପର ଠାରୁ ଅଧିକ ଯୌତୁକ ଦାବି କରି ସୁଭଦ୍ରାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ବାରମ୍ବାର ସୁଭଦ୍ରାଙ୍କ ବାପଘର ଲୋକମାନଙ୍କୁ ଫୋନ କରି ଅଧିକ ଯୌତୁକ ନଦେଲେ ତାଙ୍କ ଝିଅକୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଭଦ୍ରାଙ୍କ ବାପଘର ଲୋକେ ।
ଆଜି ହଠାତ ସୁଭଦ୍ରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶୋଇବା ଘରେ ଦେଖି ପଡୋଶୀ ଲୋକେ ତାଙ୍କ ବାପଘରକୁ ଖବର ଦେଇଥିଲେ । ବାପଘର ଲୋକେ ପହଞ୍ଚିଲା ବେଳକୁ ସୁଭଦ୍ରାଙ୍କ ସ୍ୱାମୀ , ଶାଶୁ ଶ୍ୱଶୁର ଏବଂ ନଣନ୍ଦ ସମସ୍ତେ ଫେରାର ହୋଇଯାଇଥିଲେ । ତେବେ ସୁଭଦ୍ରାଙ୍କ ଶରୀରରେ ଅନେକ ଜାଗାରେ ମାଡଦାଗ ଏବଂ କ୍ଷତ ଚିହ୍ନ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ଅଭିଯୋଗ କରି ଏମାନଙ୍କ ବିରୁଦ୍ଧରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ କୌଣସି କାର୍ଯ୍ୟ ନ କରିବା ଏବଂ ୨୪ ଘଣ୍ଟା ପରେ ମଧ୍ୟ ଶବ ବ୍ୟବଚ୍ଛେଦ ନକରିବାରୁ ଗ୍ରାମବାସୀମାନେ ବାଲିଆପାଳ ବସ୍ତାର ମୁଖ୍ୟ ରାସ୍ତାର ଇଡିକୋ ଛକଠାରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି ।
ଅର୍ଗସ ବ୍ୟୁରୋ: ପାରାଦୀପ ସମୁଦ୍ରରେ ଚାଲିଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’ । ଉପକୂଳକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ ଏଥିରେ ସାମିଲ ହୋଇଛନ୍ତି । ଆଜି ଏହାର ଅନ୍ତିମ ଦିବସ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତି ବର୍ଷ ଦୁଇ ଥର ଏହି ସମରାଭ୍ୟାସ କରାଯାଉଛି । ଏଥିରେ ଗୁଇନ୍ଦା, ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଭଳି ୧୮ରୁ ଅଧିକ ବିଭାଗ ସାମିଲ ରହିଛନ୍ତି ।
ଉପକୂଳବର୍ତ୍ତୀ ୪୮୦ କିଲୋମିଟର ସମୁଦ୍ର ବେଳାଭୂମିରେ ଚାଲିଛି ସମରାଭ୍ୟାସ । ଏଥିରେ ଦୁଇଟି ଟିମ୍ ଗଠନ ହୋଇଛି । ଯାହାର ନାଁ ରହିଛି ରେଡ୍ ଟିମ୍ ଓ ବ୍ଲୁ ଟିମ୍ । ରେଡ୍ ଟିମ୍ ମାରଣାସ୍ତ୍ର ସହ ଉପକୂଳରେ ପ୍ରବେଶ ପାଇଁ ଉଦ୍ୟମ କରିବେ ଏବଂ ଏମାନଙ୍କୁ ପ୍ରତିହତ କରିବେ ବ୍ଲୁ ଟିମ୍ । କାଲିଠୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସର ଆଜି ହେଉଛି ଶେଷ ଦିନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: 14 ଦିନ ପରେ ଚନ୍ଦ୍ରପୃଷ୍ଠରେ ଆଜି ହେବାକୁ ଯାଉଛି ସକାଳ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସୂର୍ଯ୍ୟୋଦୟକୁ ନେଇ ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର। ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି ।
ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡି ରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ବାଚସ୍ପତି ଦାୟିତ୍ବ ନେବା ପରେ ସର୍ବଦଳୀୟ ବୈଠକ ଡାକିବେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବୀ ରହିବ । ଅପରାହ୍ନ ୫ଟାରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ର ଆକାର ପ୍ରାୟ ୨୨ହଜାର କୋଟି ବୋଲି ଜଣାପଡ଼ିଛି । ଏହା ବ୍ୟତିତ ଆପାର୍ଟମେଣ୍ଟ ଅଧ୍ୟାଦେଶ, ଡ୍ରିମ୍ ସ ୟୁନଭରସିଟି ବିଲ୍, ପାଣି ପଞ୍ଚାୟତ ବିଲ୍, ଓବିସି କମିଶନ ଅଧ୍ୟାଦେଶ ଗୃହରେ ଆଗତ ହେବ ।
ବିଧାନସଭା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିସନରେଟ ପୋଲିସ । ୩୦ ପ୍ଲାଟୁନ ପୋଲିସ ଫୋସ ଓ ୧୨୫ ଅଫିସର ସୁରକ୍ଷା ପାଇଁ ମୁତୟନ କରାଯିବେ । ସେପଟେ ବିଧାନସଭା ରଣନୀତି ପ୍ରସ୍ତୁତ ପାଇଁ ଆଜି ବସିବ ତିନି ଦଳର ବିଧାୟକ ଦଳ ବୈଠକ । ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସଙ୍ଗର ଲମ୍ବା ତାଲିକା ପ୍ରସ୍ତୁତ କରୁଥିବା ବେଳେ ଶାସକ ଦଳ ବି କାଉଣ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଯୋଜନା କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: