ସମ୍ୱଲପୁର: ଡଷ୍ଟବିନରେ ଖାଦ୍ୟ ଖୋଜୁଛି ଭୋକିଲା । ପେଟ ପୁରାଇବା ପାଇଁ ସାଉଁଟୁଛି ଖାଦ୍ୟ । ହାତକୁ ଯାହା ଆସୁଛି ତାକୁ ପାଟିରେ ପୂରାଉଛି । ଯାହା କିଛି ପଡ଼ୁ ପଛେ ହେଲେ ପେଟ ପୁରିଯାଉ । ଲକ୍ ଡାଉନ ଯୋଗୁଁ ସବୁ କିଛି ଠପ ହୋଇଯାଇଛି । ହେଲେ ପେଟ କିନ୍ତୁ ଭୋକର ଜ୍ୱାଳା ସହିବା ଠପ କରିନି । ସେଥିପାଇଁ ଡହଳ ବିକଳ ହେଉଛି । ସବୁକିଛି ଆଶା ମରିଯିବା ପରେ ରାସ୍ତାକୁ ଓହ୍ଲାଇଛି ଭୋକିଲା ପେଟ । ଆଉ ରାସ୍ତାର ଡଷ୍ଟ ବିନ ଭିତରକୁ ଆପେ ଆପେ ପଳାଇଛି ହାତ ।
ଲକଡାଉନ ସମୟର ଭୋକିଲାଙ୍କ ଅସଲ ଚିତ୍ର ସାମ୍ନାକୁ ଆସିଛି । ଭୋକିଲାଙ୍କ ଭୋକ ମେଣ୍ଟାଉଛି ପଚାସଢା ପିଙ୍ଗା ଯାଇଥିବା ଡଷ୍ଟ ବିନ ଖାଦ୍ୟ । ଏଦୃଶ୍ୟ ହେଉଛି ସମ୍ବଲପୁର ଜେଲ ଛକର । ଲକଡାଉନ ସମୟରେ ଜଣେ ମହିଳା କିଭଳି ଖାଇବାକୁ ନପାଇବାରୁ ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି । ଡଷ୍ଟ ବିନ ଭିତରେ ହାତ ପୁରେଇ ଖୋଜି ଖୋଜି ଖାଦ୍ୟ ସଂଗ୍ରହ କରୁଛନ୍ତି ମହିଳା ଜଣଙ୍କ । ଲକଡାଉନ ସମୟରେ ପ୍ରଶାସନ ପକ୍ଷରୁ ଦିନକୁ ହଜାର ହଜାର ଗରିବ ଲୋକଙ୍କୁ ଖାଦ୍ୟ ଯୋଗା ଯାଉଥିବା କଥା କୁହାଯାଉଥିବା ବେଳେ ଖାଦ୍ୟ ନପାଇ ଲୋକେ ଡହଳ ବିକଳ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ।
