ବଜାରରେ ଆକାଶଛୁଆଁ ଖାଇବା ତେଲ । ମାସେ ଭିତରେ ସମସ୍ତ ପ୍ରକାର ଖାଇବା ତେଲର ଦର ଲିଟର ପିଛା 25ରୁ 30 ଟଙ୍କା ବୃଦ୍ଧି ପାଇଛି । ତେଲର ଏଭଳି ଦରବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇଲାଣି । ବଜାରରେ ଏବେ ରିଫାଇନ ତୈଳର ଲିଟର ପ୍ରତି ଦର 140 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ 120 ଟଙ୍କାରେ ବିକ୍ରି ହେଉଥିଲା । କେବଳ ରିଫାଇନ ତେଲ ନୁହେଁ, ପାମୋଲିନ୍, ସୋରିଷତେଲର ଦର ବି ହୁ ହୁ ହୋଇ ବଢିବାରେ ଲାଗିଛି । ସେହିପରି ସୋରିଷ ତେଲର ଦର ଲିଟର ପିଛା 160 ଏବଂ 170ରେ ବିକ୍ରି ହେଉଛି । ଗୋଟିଏ ପଟେ କଞ୍ଚା ପରିବା ଦର 70ରୁ 80 ଟଙ୍କା ଉପରେ ରହିଥିବାବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ଖାଇବା ତେଲ ଦର ବୃଦ୍ଧି ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ବଜାରରେ ଯେତିକି ମାତ୍ରାରେ ଖାଇବା ତେଲ ଷ୍ଟକ ରହିବା କଥା ସେତିକି ଷ୍ଟକ ନଥିବାରୁ ତେଲ ଦର ବଢିଛି ବୋଲି ବ୍ୟବସାୟୀ କହିଛନ୍ତି ।
ତେବେ ଆଳୁ, ପିଆଜ, ଡାଲି, ଖାଇବା ତେଲ ଆଦିର ଦରବୃଦ୍ଧି ନେଇ ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ । କୋରୋନା ମାଡରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ ଏଭଳି ଦରବୃଦ୍ଧି ଏବେ ବେଡି ଉପରେ କୋରଡା ଭଳି ହୋଇଛି ।