‘ଇଲେକ୍ସନ ଇଲେକ୍ସନ କହିକିନି ମତେ ଚମକେଇବୁ ନାଇଁ…। ଇଲେକ୍ସନ ବି କାକା କରେ ଆଉ ସିଲେକ୍ସନ ବି କାକା କରେ। ହଇଓ ମନ୍ତ୍ରୀ ବାବୁ, ତମର ଆମର ତ ଭଲ । ସତ ସତ କହୁନା… ମିଠା ମିଠା ହସୁନା, ଦିହ ଭଲ ରହିବ । ଆମର ପରା ରହୁଛି…।’
୨୦୦୯ରେ ମୁକ୍ତିଲାଭ କରିଥିବା ଅଭିମନ୍ୟୁ ଚଳଚ୍ଚିତ୍ରର ଏହି ଡାଏଲଗ୍ ତାଙ୍କୁ ଦେଇଥିଲା କାକାର ପରିଚୟ ।
ଶିଶୁ କଳାକାର ଭାବେ ମଥୁରା ବିଜୟରୁ ଜୀବନ ଆରମ୍ଭ କରିଥିବା ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ଅଭିନେତା ମିହିର ଦାସ ଆଉ ନାହାନ୍ତି । ୫୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ସିନେ ପରଦାର ମହାନାୟକ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ଆଖି ବୁଜିଛନ୍ତି ।
ଏକାଧୀକ ଓଡ଼ିଆ ସିନେମାରେ ନିଜ ଅଭିନୟ ଯାଦୁରେ ସେ ବାନ୍ଧି ରଖିଥିଲେ ଦର୍ଶକଙ୍କୁ । କେତେବେଳେ ହସାଉଥିଲେ ତ କେତେବେଳ କନ୍ଦାଉଥିଲେ । ଆଉ ପୁଣି କେତେବେଳେ ଥରାଉଥିଲେ ଦର୍ଶକର ଛାତି । ଅନ୍ୟ ଅଭିନେତାଙ୍କଠାରୁ ଟିକେ ଭିନ୍ନ ଥିଲେ ମିହିର। ଫିଲ୍ମି ଭାଷାରେ କହିଲେ, ସେ ଥିଲେ ଜଣେ ଭର୍ସାଟାଇଲ୍ ଅଭିନେତା ।
ପରଦେଶୀ ଚଢେଈ, ମୁକ୍ତିର ମଶାଲ, ପୁଅ ମୋର ଭୋଳା ଶଙ୍କର, କି ହେବ ଶୁଆ ପୋଶିଲେ, ଲକ୍ଷ୍ମୀ ପ୍ରତିମା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ସାଗର, ସ୍କୁଲ ମାଷ୍ଟର, ଆକାଶର ଆଖି ଥିଲା ତାଙ୍କ ଅଭିନୀତ କିଛି ଲୋକପ୍ରିୟ କଥାଚିତ୍ର ।
କେବଳ ଚରିତ୍ର ଅଭିନୟ କି କମେଡି ନୁହେଁ, ସେ ଥିଲେ ଜଣେ ଫେଣ୍ଟାଫେଣ୍ଟି ମିଜାଜର ଅଭିନେତା । ଯାହାଙ୍କ ପାଖରୁ ଦର୍ଶକଟିଏ ପାଉଥିଲା ନିରୋଳା ମନଖୋଲା ମନୋରଞ୍ଜନ।
୧୭ ଫେବୃୟାରୀ ୧୯୬୬ରେ ବାରିପଦା ସହର ଭଞ୍ଜପୁରରେ ଜନ୍ମଗ୍ରହଣ କରିଥିଲେ ମିହିର ଦାସ । ପିଲାଟି ବେଳୁ ବଡ଼ ଦୁଷ୍ଟ ଥିଲେ ବାଳକ ମିହିର । ପାଠ ପଢିବାକୁ ନାକେଦମ୍ କରୁଥିଲେ । ବାପା ବୋଉଙ୍କୁ ନାକରେ ପାଣି ପିଆଇ ଦେଉଥିଲେ ବୋଲି ସେ ନିଜର ଏକ ସାକ୍ଷାତକାରରେ କହିଛନ୍ତି । ବାରିପଦା ପୁଲିସ ୟୁପି ସ୍କୁଲରେ ପାଠ ପଢା ଜୀବନ ଆରମ୍ଭ କରିଥିବା ମିହିର ପରବର୍ତ୍ତି ସମୟରେ ଅଭିନୟକୁ ନିଜର ନିଶା ଭାବେ ଗ୍ରହଣ କରି ନେଇଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମରେ ନିଖୁଣ ଅଭିନୟ ପାଇଁ ୧୯୯୯ରେ ବିଧାତା ପାଇଁ ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ପାଇଁ ଶ୍ରେଷ୍ଠ କଳାକାର ପୁରସ୍କାର ପାଇଥିଲେ ମିହିର । ତାଙ୍କ ଅଭିନିତ ପୁଅ ମୋର ଭୋଳାଶଙ୍କର ଥିଲା ଏକ ମାଇଲଷ୍ଟୋନ୍ ।
ଆଜି ତାଙ୍କ ଅବର୍ତ୍ତମାନରେ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅର୍ଗସ ପରିବାର ପକ୍ଷରୁ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।