ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। — Naveen Patnaik (@Naveen_Odisha) January 11, 2022
ଶିଶୁ କଳାକାର ଭାବେ ମଥୁରା ବିଜୟରୁ ଜୀବନ ଆରମ୍ଭ କରିଥିବା ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ଅଭିନେତା ମିହିର ଦାସ ଆଉ ନାହାନ୍ତି । ୫୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ସିନେ ପରଦାର ମହାନାୟକ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ଆଖି ବୁଜିଛନ୍ତି ।
ଏକାଧୀକ ଓଡ଼ିଆ ସିନେମାରେ ନିଜ ଅଭିନୟ ଯାଦୁରେ ସେ ବାନ୍ଧି ରଖିଥିଲେ ଦର୍ଶକଙ୍କୁ । କେତେବେଳେ ହସାଉଥିଲେ ତ କେତେବେଳ କନ୍ଦାଉଥିଲେ । ଆଉ ପୁଣି କେତେବେଳେ ଥରାଉଥିଲେ ଦର୍ଶକର ଛାତି । ଅନ୍ୟ ଅଭିନେତାଙ୍କଠାରୁ ଟିକେ ଭିନ୍ନ ଥିଲେ ମିହିର। ଫିଲ୍ମି ଭାଷାରେ କହିଲେ, ସେ ଥିଲେ ଜଣେ ଭର୍ସାଟାଇଲ୍ ଅଭିନେତା ।
ପରଦେଶୀ ଚଢେଈ, ମୁକ୍ତିର ମଶାଲ, ପୁଅ ମୋର ଭୋଳା ଶଙ୍କର, କି ହେବ ଶୁଆ ପୋଶିଲେ, ଲକ୍ଷ୍ମୀ ପ୍ରତିମା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ସାଗର, ସ୍କୁଲ ମାଷ୍ଟର, ଆକାଶର ଆଖି ଥିଲା ତାଙ୍କ ଅଭିନୀତ କିଛି ଲୋକପ୍ରିୟ କଥାଚିତ୍ର ।
କେବଳ ଚରିତ୍ର ଅଭିନୟ କି କମେଡି ନୁହେଁ, ସେ ଥିଲେ ଜଣେ ଫେଣ୍ଟାଫେଣ୍ଟି ମିଜାଜର ଅଭିନେତା । ଯାହାଙ୍କ ପାଖରୁ ଦର୍ଶକଟିଏ ପାଉଥିଲା ନିରୋଳା ମନଖୋଲା ମନୋରଞ୍ଜନ।