ଛତିଶଗଡ଼: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା । ଏବେ ବି ୧୫ ଯବାନ ନିଖୋଜ ରହିଛନ୍ତି । ଗତକାଲି ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।
୧୨ଜଣ ଆହତ ହୋଇଛନ୍ତି । ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଛି । ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର ହୋଇଛି ମୃତଦେହ । ଅଧିକ ମାଓବାଦୀ ମୃତାହତ ହୋଇଥିବା କୁହାଯାଉଛି । ବିଜାପୁର-ସୁକମା ଜିଲ୍ଲାର ସୀମାବର୍ତ୍ତା ଅଞ୍ଚଳରେ ସୁରକ୍ଷାକର୍ମୀ ଗତକାଲି ଆରମ୍ଭ କରିଥିଲେ ନକ୍ସଲ ବିରୋଧୀ ଅଭିଯାନ ।
ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି ଓ ଏସଟିଏଫ ମିଳିତ ଅପରେସନ୍ ଚଳାଇଥିଲେ । ଏତିକିବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ୩ ଗଣ୍ଟା ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।
ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗୁଳିବିନିମୟରେ ଯବାନ ମୃତାହତ ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଏଥିସହିତ ପିଏମ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।