ବଡ଼ଗଡ଼ରୁ ସୂର୍ଯ୍ୟନଗର, ବମିଖାଲରୁ ମଞ୍ଚେଶ୍ୱର, ନାଁ ଶୁଣିଲେ ଖେଳିଯାଉଥିଲା ଆତଙ୍କ । ମାର୍ଚ୍ଚ ୧୫, ୨୦୨୦ରେ ରାଜଧାନୀର ବଡ଼ଗଡ଼ରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଇଟାଲୀ ଫେରନ୍ତା ଯୁବକ କରୋନା ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଥିଲା। କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଚାଲିଲା ରାଜ୍ୟର ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା । ୨/୩ ଦିନ ପରେ ଏମ୍ସରେ ଭର୍ତ୍ତି ହେଲେ ଆଉ ଜଣେ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ । ଚାହୁଁ ଚାହୁଁ ଭୁବନେଶ୍ୱରରେ ମାଡ଼ିଲା କରୋନା । ହଟ୍ସ୍ପଟ୍ ପାଲଟିଗଲା ସୂର୍ଯ୍ୟନଗର, ବମିଖାଲ ।
ଅନ୍ୟପକ୍ଷେ କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ପ୍ରଶାସନ ଲଗାଇଲା କଡ଼ା ଆକଟ । ଲକ୍ଡାଉନ, ସଟ୍ଡାଉନରେ ଚଳଚଞ୍ଚଳ ଭୁବନେଶ୍ୱର ଅଟକି ଯାଇଥିଲା। ଦୋକାନ ବଜାରରେ ଲକ୍ଷ୍ମଣରେଖା ଟଣା ହେଲା। ମାସ୍କ ନ ପିନ୍ଧିଲେ ଦୋକାନ ସିଲ୍ ହେଲା । ଲୋକେ ଜରିମାନା ଗଣିଲେ । ଏତେ ପ୍ରୟାସ ପରେ ବି ଭୁବନେଶ୍ୱର ରେଡ୍ ଜୋନ୍ ପାଲଟିଗଲା। ହେଲେ ଗତ 2 ମାସ ଭିତରେ ସମ୍ପୂର୍ଣ୍ଣ ଦେଶରେ କିଛି ପରିମାଣରେ ସଂକ୍ରମଣ ବଢ଼ିଛି । ବର୍ତ୍ତମାନ ସମଗ୍ର ଦେଶରେ 24 ଘଣ୍ଟାରେ ପ୍ରାୟ 24 ହଜାର କେସ ଚିହ୍ନଟ ହେଉଛି କେଵଳ 5ଟି ରାଜ୍ୟରୁ ହାରାହାରି 85 ପ୍ରତିଶତ ଚିହ୍ନଟ ହେଉଛନ୍ତି । ତେଣୁ ଏହାକୁ ବର୍ତ୍ତମାନ ଦ୍ବିତୀୟ ଲହର ବୋଲି କହିବା ଠିକ ହେବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ତେବେ କୋରୋନାର ଏକ ବର୍ଷ ଭିତରେ ଅନେକ କିଛି ପରିସ୍ଥିତି ବଦଳି ଯାଇଛି । ମଣିଷ ମାନବିକତା ହରାଇବା ସଙ୍ଗେ ସଙ୍ଗେ ବାସ୍ତବତାକୁ ବି ଚିହ୍ନିଛି। କୋରୋନା ଦ୍ୱାରା ସ୍ୱାସ୍ଥ୍ୟବସ୍ଥାର ସ୍ଥିତି ଖରାପ ହୋଇଛି କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଦେଶରେ ସଚେତନତା ବଢିଛି।