ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଖୋର୍ଦ୍ଧା ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।
ସମୁଦ୍ର ଅଶାନ୍ତ ରହିବା କାରଣରୁ କାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟର ସମସ୍ତ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଅବପାତର ପ୍ରଭାବ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଝାଡସୁଗୁଡା,ବରଗଡ଼, ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ ପୁଣି ଦିନକ ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଯଦିଓ ତାହାର ଗଭୀରତା ଅଧିକ ହେବନାହିଁ ତଥାପି ଉପକୂଳ ଓଡ଼ିଶାରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି କହିଛି।