ଅଧିକ ପଢନ୍ତୁ ଓଡ଼ିଶା ଖବର
ଡା. ଉର୍ମିଳା ମିଶ୍ର କହିଛନ୍ତି ଯେ ଏହି ଅଭିଯାନରେ ରାଜ୍ୟ ଜେଲ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଏସଏସଇପିଡି ବିଭାଗ ସହଯୋଗରେ ରାଜ୍ୟର ୮୭ ଟି ଜେଲ, ୬୬ ଅନ୍ୟାନ୍ୟ କ୍ଲୋଜ ସେଟିଂ, ୫୪ଟି ସ୍ୱାଧାର ଗୃହ, ୧୧ଟି ଉଜାଲା ହୋମ, ୪ଟି ଜୁଭେନାଇଲ ହୋମ, ୪୮ଟି ଡ୍ରଗ ଡିଆଡିକସନ ସେଂଟରରେ ଅନ୍ତେବାସୀମାନଙ୍କର ପରୀକ୍ଷା ନୀରିକ୍ଷା କରାଯିବ । ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୩୩୩୫ ଅନ୍ତେବାସୀଙ୍କ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ଦେବାର କାର୍ଯ୍ୟକ୍ରମ ରହିଛି । ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଏବଂ ଉପଯୁକ୍ତ ଚିକିତ୍ସା ପ୍ରକ୍ରିୟାରେ ସେମାନଙ୍କ ପଂଜିକରଣ ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଅନ୍ତେବାସୀଙ୍କୁ ଏଚ.ଆଇ.ଭି, ଯକ୍ଷ୍ମା, ଯୌନ ସଂକ୍ରମଣ ଏବଂ ହେପାଟାଇଟିସ ପାଇଁ ମାଗଣା ପରାମର୍ଶ, ଚିକିତ୍ସା ଏବଂ ଔଷଧ ଓସାକ୍ସ ଯୋଗାଇଦେବ ।
ଏହି ଅବସରରେ କାରାଗାର ମହାନିର୍ଦ୍ଦେଶକ ଡ. ମନୋଜ ଛାବ୍ରା କହିଥିଲେ ଯେ, ଜେଲ ଅନ୍ତେବାସୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟର ସମସ୍ତ ଜେଲରେ ଏଚ.ଆଇ.ଭି, ଯକ୍ଷ୍ମା, ଯୌନ ସଂକ୍ରମଣ ଏବଂ ହେପାଟାଇଟିସ ପରୀକ୍ଷା ଅଭିଯାନକୁ ଶତ ପ୍ରତିଶତ ସଫଳ କରିବାରେ ସହଯୋଗ କରିବା ପାଇଁ ସେ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ସମସ୍ତେ ସୁସ୍ଥ ରହିଲେ ଏକ ସୁସ୍ଥ ପରିବେଶ ଗଠନ ହୋଇପାରିବ ।
ସଚେତନତା ପାଇଁ ଜେଲରେ ପ୍ରଚଳିତ ଥିବା ‘ଆଜାଦ ବାଣୀ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଏଚ.ଆଇ.ଭି ସଚେତନତା ଗୀତ ସହ ଜେଲ କାନ୍ଥରେ ସଚେତନତାର ବାର୍ତା ଏବଂ ଲିଫଲେଟ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଜେଲର ବରିଷ୍ଠ ଅଧିକ୍ଷକ ଏବଂ ଏଚ.ଆଇ.ଭି/ ଏଡସ ପାଇଁ ନୋଡାଲ ଅଧିକାରୀ ଶ୍ରୀ ବିରେନ ସାହୁ, ଜେଲର ଶ୍ରୀମତୀ ସନ୍ତୋଷିନୀ ଦାସ, ଝାରପଡା ଜେଲର ଅଧିକ୍ଷକ ଶ୍ରୀ ସତ୍ୟପ୍ରକାଶ ସ୍ୱାଇଁ ଉପସ୍ଥିତ ଥିଲେ । ଡା. ଇନ୍ଦିରା ନାୟକ, ଡା. ଧନରାଜ କୃଷ୍ଣ ବେହେରା, ଓସାକ୍ସର ଯୁଗ୍ମ ନିର୍ଦ୍ଦେଶକ ଡ. ଡି. ଏସ. ଅରବିନ୍ଦ, ପ୍ରତିଷ୍ଠାନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ପଟନାୟକ ପ୍ରମୁଖଙ୍କ ସମେତ ଜନସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ୱାଇ.ଆର.ଜି କେୟାରର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଜାତୀୟ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏସିପି) ଅଧୀନରେ ଅନ୍ତେବାସୀମାନଙ୍କୁ ଏକ ସ୍ୱତନ୍ତ୍ର ଗୋଷ୍ଠି ଭାବେ ଚିହ୍ନଟ କରାଯାଇଛି । ସାରା ଦେଶରେ ଜେଲ ଏବଂ ଅନ୍ୟାନ୍ୟ କ୍ଲୋଜ ସେଟିଂ ସମୂହ ମଧ୍ୟରେ ଅଧିକ ବିପଦ ସଂକୁଳ ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯିବା ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ (ନାକୋ) ଲକ୍ଷ୍ୟ ରଖିଛି । ଦେଶରେ ସାଧାରଣ ଲୋକଙ୍କ ତୁଳନାରେ ଜେଲ ଅନ୍ତେବାସୀମାନଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ଅଧିକ ରହିଛି । ସେହିଭଳି ରାଜ୍ୟରେ କେବଳ ଜେଲରୁ ହିଁ ଗତ ଦୁଇବର୍ଷ ମଧ୍ୟରେ ୧୨୦ ଜଣ ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଅନ୍ତେବାସୀମାନଙ୍କ ମଧ୍ୟରେ ଅସୁରିକ୍ଷିତ ଯୌନ ସଂପର୍କ ଦ୍ୱାରା ଏହା ବ୍ୟାପକ ହେଉଛି ଯାହାପାଇଁ ସଚେତନତା ହିଁ ଏକମାତ୍ର ବିକଳ୍ପ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସାମଗ୍ରିକ ଏସଟିଆଇ, ଏଚ.ଆଇ.ଭି, ଯକ୍ଷ୍ମା ଏବଂ ହେପାଟାଇଟିସ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ଅନ୍ତେବାସୀମାନଙ୍କ ପାଇଁ ସଂପୃକ୍ତ ସଂକ୍ରମଣଗୁଡିକର ପରୀକ୍ଷା ନୀରିକ୍ଷା, ପରାମର୍ଶ, ନିରାକରଣ ଏବଂ ଚିକିତ୍ସା ଅନ୍ତର୍ଭୁକ୍ତ । ଏଚ.ଆଇ.ଭି ସଂକ୍ରମିତ ଅନ୍ତେବାସୀମାନଙ୍କୁ ଏଆରଟି ସହ ସଂଯୋଗ କରାଇ ଏଆରଟି ଔଷଧ ପ୍ରଦାନ କରାଯିବା ସହ ସେମାନଙ୍କ ଭାଇରାଲ ଲୋଡ ପରୀକ୍ଷା ମଧ୍ୟ କରାଯିବ ।
ଏହି ଅଭିଯାନରେ ଯକ୍ଷ୍ମା ପରୀକ୍ଷା, ସନ୍ଧିଗ୍ଧ ମାମଲା ପାଇଁ କଫ ସଂଗ୍ରହ ଏବଂ ଡଟ୍ସ ପ୍ରଦାନ ମଧ୍ୟ କରାଯିବ । ଏଥିସହ ଗର୍ଭବତୀ ମହିଳା ଅନ୍ତେବାସୀମାନଙ୍କର ତିନି ମାସରେ ଥରେ ଭାଇରାଲ ହେପାଟାଇଟିସ ପରୀକ୍ଷା କରାଯିବ ।