କ୍ୟାମ୍ପେନ ପାଇଁ ହାତରେ ଆଉ ମାତ୍ର 5 ଦିନ। ପଦମପୁର ଗ୍ରାଉଣ୍ଡରେ ଚାଲିଛି ଘମାଘୋଟ ପ୍ରଚାର। ବିଜେପି ପାଇଁ ମଙ୍ଗଳବାରଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରିବେ ରୋଡ ଶୋ ଓ ନିର୍ବାଚନୀ ସଭା। ପ୍ରଚାରର ଶେଷ ଦିନ ଅର୍ଥାତ ଡିସେମ୍ବର 3ରେ ପଦମପୁରରେ ବିରାଟ ଜନସଭାକୁ କରିବେ ସମ୍ବୋଧନ। ପ୍ରଚାର ମଇଦାନରେ ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ବିଜେପି ଶିବିର।
ଧର୍ମେନ୍ଦ୍ରଙ୍କ ପ୍ରଚାରକୁ ନେଇ ବିଜେପି ଶିବିର ଉତ୍ସାହିତ ହେବା ସ୍ବାଭାବିକ। କାରଣ ଧମନଗରରେ ବି ଧର୍ମେନ୍ଦ୍ରଙ୍କ ଧୁଆଁଧାର ପ୍ରଚାର ବିଜେପିର ବିଜୟ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ। କେନ୍ଦ୍ରମନ୍ତ୍ରୀଙ୍କ ରୋଡ ଶୋ ଓ ସଭାରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ। ଯାହା ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ସୃଷ୍ଟି କରିଥିଲା ହାୱା।
ସେପଟେ ଧାମନଗରରେ ଧକ୍କା ଖାଇବା ପରେ ଶାସକ ବିଜେଡି ପଦ୍ମପୁରରେ ନବୀନଙ୍କୁ ଭର୍ଚୁଆଲ ବଦଳରେ ଗ୍ରାଉଣ୍ଡରେ ପ୍ରଚାର କରାଇବା ନେଇ ହେଉଛି ଚର୍ଚ୍ଚା। ତେବେ ଏନେଇ କିଛି ବି ସ୍ପଷ୍ଟ କରିନି ଶାସକ ଦଳ। ଜିଲ୍ଲା ମାନ୍ୟତା, ଚାଷୀ, ସ୍ବାସ୍ଥ୍ୟ, ଦାଦନ, ଓ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ରହିଛି ଏଥର ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ।
ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଏ ସବୁ ପ୍ରସଙ୍ଗ ଉଠାଇ ଲୋଡ଼ିବେ ପଦମପୁରବାସୀଙ୍କ ସମର୍ଥନ। ସେପଟେ 22 ବର୍ଷର ସରକାର ଓ 25 ବର୍ଷର ଜନସେବାକୁ ଆୟୁଧ କରି ସମର୍ଥନ ଲୋଡୁଛି ବିଜେଡି। ପଦମପୁର ବାସୀ ବିଜେଡିକୁ 22 ବର୍ଷ ପରେ ଆହୁରି ସମୟ ଦେବେ ନା ପ୍ରତ୍ୟାଖ୍ୟାନ କରିବେ ସେ ନେଇ ହେବ ବଳ କଷାକଷି।