ଜିଲ୍ଲାରେ ଧାନକିଣାରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି କିପରି ମଣ୍ଡିରୁ ଶୀଘ୍ର ଧାନ ଉଠିବ ମିଲର୍ସମାନେ ଏନେଇ ଧ୍ୟାନ ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । 21 ଦିନରେ ବିଳମ୍ବରେ ରାଜ୍ୟର ବରଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି ।
FOOD ODISHA ପୋର୍ଟାଲ ତଥ୍ୟ ଅନୁସାରେ କେବଳ 10 ଟି PACS ରୁ ମାତ୍ର 74 ଜଣ ଚାଷୀଙ୍କ ଠାରୁ ମାତ୍ର 4069 କ୍ୱିଣ୍ଟାଲ ଧାନ କିଣା ଯାଇଛି । ଚଳିତ ବର୍ଷ ରାଜ୍ୟରେ 16 ଲକ୍ଷ 99 ହଜାର ଚାଷୀ ପଞ୍ଜିକୃତ କରିଥିବାବେଳେ ପ୍ରଥମ ଦଫାରେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର 3 ଲକ୍ଷ 39 ହଜାର 506 ଚାଷୀ ଧାନ ବିକ୍ରୀ କରିବେ । ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ପରୋକ୍ଷ ଉଦ୍ଦେଶ୍ୟ ନେଇ ପ୍ରଶାସନ କାର୍ଯ୍ୟ କରୁଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି ।
ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ବହୁ ଦିନରୁ କରି ଆସୁଥିବା ଏଭଳି ଅଭିଯୋଗର ସତ୍ୟତା ଥିବା ପ୍ରମାଣିତ ହୋଇଛି । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ନାନା ପ୍ରକାର ସମସ୍ୟା ଯୋଗୁଁ ଧାନ ସଂଗ୍ରହ ବିପର୍ଯ୍ୟସ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଚଳିତ ଖରିଫରେ ବରଗଡ଼ ଜିଲ୍ଲାର 1,40,629 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି ।ଚଳିତ ଖରିଫ କ୍ରୟ ସମୟରେ 58 ଟି ପ୍ୟାକ୍ସ,26 ଟି ସ୍ବୟଂ ସହାୟକ ଗୋଷ୍ଠୀ ସହ ନୂତନ ଭାବେ 12 ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଗତ ବର୍ଷରେ ଭାଗ ନେଇଥିବା 112 ମିଲର୍ସ ଭାଗ ନେବାକୁ ସ୍ଥିର ହୋଇଛି ।
ଏଥିସହ ସର୍ବନିମ୍ନ ସାଧାରଣ ଧାନ କ୍ରୟ ମୂଲ୍ୟ 2040 ଟଙ୍କା ଏବଂ ଗ୍ରେଡ଼ ଏ ପାଇଁ 2060 ଟଙ୍କା କ୍ବିଣ୍ଟାଲ ପ୍ରତି ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଦାବିକୁ ଭିତ୍ତି କରି ପ୍ରାୟ 205ଟି ଏବଂ 11ଟି ନୂତନ ଧାନ କ୍ରୟ କେନ୍ଦ୍ରର ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଅଟୋମେଟିକ ଭଏସ କଲ ମାଧ୍ୟମରେ ଚାଷୀ ବିଭିନ୍ନ ସୂଚନା ନିଜ ପଞ୍ଜିକୃତ ମୋବାଇଲରୁ ଜାଣିବା ପାଇଁ 35ଟି କଲ ସେଣ୍ଟରର କାର୍ଯ୍ୟ କରିବ ବୋଲି ଜଣା ପଡିଛି ।
ତେବେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପ୍ରତି ବର୍ଷ ଖରିଫ ଋତୁ ପାଇଁ ନଭେମ୍ବର 1 ତାରିଖ ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ରଖିବାର ନିର୍ଦ୍ଦେଶ ଦିଆଯାଇଛି,ତେବେ ଏଠି ପ୍ରଶ୍ନ ଯେ କାହିଁକି ରାଜ୍ୟ ସରକାର ଠିକ୍ ସମୟରେ ମଣ୍ଡି ଖୋଲୁ ନାହାନ୍ତି? କାହା ଚାପରେ ଜିଲ୍ଲାପାଳ ୧ ମାସ ବିଳମ୍ବରେ ଧାନ ମଣ୍ଡି ଖୋଲୁଛନ୍ତି। ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ଖରିଫ ସିଜନ ପାଇଁ ରେକର୍ଡ 16 ଲକ୍ଷ 99 ହଜାର 361 ଚାଷୀ ପଞ୍ଜିକୃତ କରିଥିବା ବେଳେ 2020-21 ଖରିଫ ସିଜନ ରେ 2 ଲକ୍ଷ 81 ହଜାର 369 ଜଣ ପଞ୍ଜିକୃତ ଚାଷୀ ଏବଂ 2021-22 ସିଜନ ରେ 2 ଲକ୍ଷ 50 ହଜାର 667 ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିଲେ । ତେବେ ରାଜ୍ୟ ସରକାରଙ୍କ ପୁରୁଣା ଟ୍ରାକ ରେକର୍ଡ ଭଲ ନଥିବା ବେଳେ ଚଳିତ ବର୍ଷ ସମସ୍ତ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରିବେ ତ ?
ଅନ୍ୟପଟେ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଥିବା ଗୋଟିଏ ସରକାର ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରମିତ ଓ ଅନ୍ଧାରରେ ରଖିପାରିବ ନାହିଁ । ଲୋକମାନେ ସତ ଜାଣିଲେଣି । ମିଛ କଥାକୁ ବାରମ୍ବାର ଯୋରରେ କହିଲେ ସତ ହୋଇଯାଏନି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ଉପନିର୍ବାଚନରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବରଗଡ଼ ଓ ପଦ୍ମପୁର ଅଞ୍ଚଳ ପାଇଁ ରାଜ୍ୟ ସରକାର ମିଛ ସୁଆଙ୍ଗ ରଚୁଛନ୍ତି ।
ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ମରୁଡି ରିପୋର୍ଟ ପାଇବାର ଅନେକ ଦିନ ପରେ ମଧ୍ୟ କେବେ ପ୍ରଭାବିତ ଅଞ୍ଚଳକୁ ମରୁଡି ଘୋଷଣା କରାଗଲା ? ଓଡ଼ିଶା ବିଶେଷ ଭାବେ ବରଗଡ ଜିଲ୍ଲାର ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ରାଜ୍ୟ ସରକାର ସୁଆଙ୍ଗ ରଚୁଛନ୍ତି । ବରଗଡ ବିଶେଷ ଭାବରେ ପଦ୍ମପୁରର ୩ ଟି ବ୍ଲକର ଜଣେ ବି ଚାଷୀଙ୍କ ନାଁ ଇନପୁଟ ସବସିଡି ଦେବା ପାଇଁ ତାଲିକାଭୁକ୍ତ କରାଯାଇଛି କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାର ଚାଷୀ ମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଯାଇଥିଲା । ସରକାର ବରଗଡ ଜିଲ୍ଲାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭେଳିକି ଦେଖାଉଛନ୍ତି ।
ବରଗଡ଼ ତଥା ପଦ୍ମପୁରରେ ଧାନ କିଣା ବଡ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାନଯିବା ଦୁର୍ଭାଗ୍ୟଜନକ । ପ୍ରସଙ୍ଗ ନଥିବା କାରଣରୁ ଏ ସବୁ ପ୍ରସଙ୍ଗ କରାଯାଉଛି । ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀମାନଙ୍କର ମାଟି । ସେହି ଅଞ୍ଚଳରେ ଶହୀଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ । ନିଜର ହକକୁ ଲଢେଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର ।
ଆଜି କିନ୍ତୁ ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ । ଏହି ଉପନିର୍ବାଚନରେ ଲୋକମାନେ ଉଚିତ୍ ଜବାବ ଦେବେ । ଯେଉଁ ମନ୍ତ୍ରୀ ପରିବାର ସହ ମିଶି ଆଠଗଡରେ ଗରିବ ଚାଷୀ ଭାଇ ମାନଙ୍କର ପଇସାକୁ ହରିଲୁଟ କରିଛନ୍ତି ଏବଂ ଯାହାଙ୍କ ବଂଶଜମାନେ ଦାଦାଗିରି କରୁଥିବା କାରଣରୁ ପୋଲିସ ତାଙ୍କୁ ଜେଲରେ ଭର୍ତ୍ତି କରିଛି, ଆଜି ସେହିମାନେ ପଶ୍ଚିମ ଓଡ଼ିଶାରେ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।