ନିଜ ପ୍ରଚାର କାର୍ଯ୍ୟକ୍ରମର ତୃତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀ ର ଝାରବନ୍ଧ, ବରିହାପାଲି, ଜାମଲା, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯୋଗଦେବା ସହ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ପାଇଁ ଆସୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଆମ ଦଳ ବିଜେପିର ଅପେକ୍ଷା ରହିବ, ସେ ବିଜେଡ଼ି ଦଳର ସଭାପତି ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି ନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ରାତିରେ ଏଥିପାଇଁ କ୍ୟାବିନେଟ୍ ବସାନ୍ତୁ । କ୍ୟାବିନେଟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ମଞ୍ଜୁର ପ୍ରଦାନ କରନ୍ତୁ । ଏହାସହ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ଆସିବାବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ କରିବାର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ ଏବଂ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବା ନେଇ ଆମ ଦଳର ଅପେକ୍ଷା ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ସେ ଏଭଳି ପଦକ୍ଷେପ ନେଇପାରିବେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶା ର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ସ୍ଥାୟୀ ନିଯୁକ୍ତି ନାହିଁ । ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି । ନବୀନ ସରକାରଙ୍କ ନୀତି ଓ ନିୟମକୁ ନେଇ ଅସନ୍ତୋଷ ଦେଖାଗଲାଣି । ସ୍କୁଲରେ ପଢୁଥିବା ପିଲା ମାନଙ୍କର ଭବିଷ୍ୟତକୁ ହତାଦର କରାଯାଉଛି । ଓଡ଼ିଶାକୁ ଅନ୍ଧକାରରେ ରଖିବାରେ ଷଡଯନ୍ତ୍ର ରଚାଯାଉଛି । ତା’ର ପ୍ରତିଫଳନ ପଦ୍ମପୁର ଉପନିର୍ବାଚନରେ ହେବ ।
ଧାନ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନଦେବାର ଲମ୍ବା ତାଲିକା ଅଛି । ଏହି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ୨୨ ବର୍ଷ ଶାସନରେ ଯେଉଁମାନେ କାମ ଖଣ୍ଡେ ଯୋଗାଡ କରି ପାରିଲେ ନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ପାଣି ମୁନ୍ଦେ ପହଞ୍ଚାଇ ପାରିଲେ ନାହିଁ, ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି । ସବୁଠି ଅବ୍ୟବସ୍ଥା ଦେଖାଯାଇଛି । ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ୍ ଦେବେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ପଦମପୁରବାସୀ ୨୨ ବର୍ଷର ପ୍ରତାରଣାର ନିର୍ଣ୍ଣାୟକ ମତ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଝାରବନ୍ଧ ଅନୁଷ୍ଠିତ ବିଶାଳ ମାତୃ ସମାବେଶ ପଦମପୁର ଉପନିର୍ବାଚନ ରେ କୁନା ପୁରୋହିତଙ୍କ ବିଜୟର ବଡ ପ୍ରମାଣ ଦେଉଛି । ଓଡ଼ିଶା ବିଧାନସଭାରେ ଗରିବ, ଜନଜାତି, କେନ୍ଦୁପତ୍ର ତୋଳାଳୀ, ଚାଷୀ, ବଂଚିତ ଲୋକମାନଙ୍କ ସ୍ୱାର୍ଥକୁ ଉଠାଇଛନ୍ତି । ଚାଷୀ, ଆଦିବାସୀ, ମହିଳା, ଯୁବକ ଓ ସବୁ ବର୍ଗର ଲୋକମାନେ ତାଙ୍କ ଉପରେ ଭରସା ରଖିଛନ୍ତି । ପଦ୍ମପୁରର ମା’ ମାଉସୀ ତଥା ମାତୃଶକ୍ତି ମାନଙ୍କର ଆଶୀର୍ବାଦ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦଳର ପ୍ରାର୍ଥୀ କୁନା ପୁରୋହିତଙ୍କ ପ୍ରତି ରହିଛି । ତାଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ମନବଳାଇ ସାରିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।