ଶ୍ରୀ ମିଶ୍ର କହିଛନ୍ତି ଆଜି ମୁଖ୍ୟମନ୍ତ୍ରୀ କେବଳ ମିଛ ଓ ଛଳନାର କଥା ପଦମପୁରର ଲୋକମାନଙ୍କ ଆଗରେ କହିଛନ୍ତି । ବରଗଡ ନୁଆପଡା ରେଳ ପ୍ରକଳ୍ପ ଭାୟା ପଦମପୁର ନେଇ କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉଭୟ ଘୋଷଣା କରି କହିଥିଲେ ଯେଉଁ ଦିନ ରାଜ୍ୟ ସରକାର ଜମି ଦେବେ ସେହି ଦିନ ରେଳ ପ୍ରକଳ୍ପର କାମ ଆରମ୍ଭ ହେବ । ହେଲେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର କେତେ ଜମି ଅଧିଗ୍ରହଣ କରିଛନ୍ତି ତାହା ପଦମପୁରର ଲୋକଙ୍କ ଆଗରେ ସ୍ପଷ୍ଟ ନକରି ନିଜର ଦୋଷକୁ ଲୁଚାଇବା ପାଇଁ ଉଦ୍ୟମ କରିଲେ ଯାହା ପଦମପୁରର ଲୋକମାନଙ୍କୁ ଦୁଃଖ ଦେଇଛି ।
ସେହିଭଳି ପଦମପୁରରେ ଜିଲ୍ଲା ଘୋଷଣା ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ପଦମପୁରର ଲୋକମାନଙ୍କୁ ନିରାଶ କରିଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏବେ ପଦମପୁରକୁ ଜିଲ୍ଲା ଘୋଷଣା ନେଇ କୌଣସି ପ୍ରସ୍ତାବ ନାହିଁ । ଆଉ ଆଜି ମୁଖ୍ୟମନ୍ତ୍ରୀ ପଦମପୁରର ଜିଲ୍ଲା ଘୋଷଣାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର ୨୦୨୩କୁ ଗଡାଇ ଦେଲେ । ଏହା ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସବୁବେଳେ କେନ୍ଦ୍ର ଅବହେଳାକୁ ବାହାନା କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଆଜି ପଦମପୁରର ଲୋକମାନଙ୍କୁ ଅବହେଳା କରିଥୀବା କଥା ଧରା ପଡିଯାଇଛି । ୨୨ ବର୍ଷର ଶାସନରେ ପଦମପୁରରେ କାହିଁକି ଚାଷ ଜମିକୁ ଜଳସେଚନ ହୋଇପାରିନାହିଁ, କେତେ ଚାଷୀଙ୍କୁ ୨୦୨୧ରେ ହୋଇଥିବା ମରୁଡି ପାଇଁ ଇନପୁଟ ସବସିଡ ଦେଇଛନ୍ତି, କାହିଁକି କେନ୍ଦୁପତ୍ରରେ ରାଜ୍ୟ ସରକାର ନେଉଥିବା ୯% ଜିଏସଟିକୁ ଛାଡ କରୁନାହାନ୍ତି ଏସବୁ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ କାହିଁକି କିଛି କହିନାହାନ୍ତି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସନତ ଗଡତିଆ ଓ ଅରୁପା ସାହୁ ଉପସ୍ଥିତ ଥିଲେ ।