ଅକ୍ଟୋବର ୧୧, ୨୦୨୧ରେ ଏସଆରସି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ମରୁଡି ସ୍ଥିତି ନେଇ ଚିଠି ଲେଖିଥିଲେ । ସେଥିରେ ଜିଲ୍ଲାପାଳ ଲେଖିଥିଲେ ବରଗଡ ଜିଲ୍ଲାରେ ମରୁଡି ହୋଇଛି ବୋଲି । କିନ୍ତୁ ବିଧାନସଭାରେ ବିଜେପିର ବିଧାୟକମାନେ ଯେତେବେଳେ ଚାଷୀମାନଙ୍କର ଇନପୁଟ ସବସିଡ କଥା ଉଠାଇଥିଲେ ସେତେବେଳେ ରାଜସ୍ୱ ମନ୍ତ୍ରୀ କହିଥିଲେ ୨୦୨୧ରେ ମରୁଡି ହୋଇନାହିଁ କି କୌଣସି ଚାଷୀଙ୍କୁ ଇନପୁଟ ସବସିଡ୍ ( ମରୁଡି ସହାୟତା ) ଦିଆଯିବ ନାହିଁ । ଏବେ ଯେଉଁ ଇନପୁଟ ସବସିଡ ଘୋଷଣା ହୋଇଛି ତାହା ସତ କି ମିଛ ? ଯଦି ସତ ତାହେଲେ ଚାଷୀମାନଙ୍କର ତାଲିକା ପ୍ରକାଶ କରନ୍ତୁ ଓ ସେଥିରୁ ପଦମପୁରର କେଉଁ ଚାଷୀ କେତେ ଟଙ୍କା ପାଇପାରିବେ ତାହା ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ତଳେ ପଦମପୁରର ଚାଷୀ କେବେ ଇନପୁଟ ସବସିଡ ପାଇବେ ବୋଲି ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତର ରାଜ୍ୟ ସରକାର କାହିଁକି ଦେଉପାରୁ ନାହାନ୍ତି ବୋଲି ଶ୍ରୀ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।
୨୦୨୧ ମସିହା ମରୁଡି ପାଇଁ ଓଡିଶା ସରକାରଙ୍କର ଇନପୁଟ ସବସିଡର ପରିମାଣ ହେଉଛି ମାତ୍ର ୨୦୦ କୋଟି ଟଙ୍କା । ଆନ୍ଧ୍ର ପ୍ରଦେଶ ସରକାର ୨୦୨୧ରେ ଇନପୁଟ ସବସିଡ ଦେଇଥିଲେ ୫୭୧ କୋଟି ଟଙ୍କାର । ବିଜେପି ଶାସିତ କର୍ଣ୍ଣାଟକରେ ୨୦୨୧ ମସିହା ଫସଲ କ୍ଷତି ପାଇଁ ଇନପୁଟ ସବସିଡ ଭାବରେ କର୍ଣ୍ଣାଟକ ସରକାର ଦେଇଥିଲେ ୨୩୮୮ କୋଟି । ଓଡିଶା ସରକାର ଚାଷୀମାନଙ୍କୁ ସବୁବେଳେ ଠକନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଓଡିଶାରେ ଇନପୁଟ ସବସିଡ ସହାୟତା ରାଶି ଦେଶରେ ଅନ୍ୟ ରାଜ୍ୟ ତୁଳନାରେ କମ୍ । ବିଜେପି ଶାସନାଧୀନ କର୍ଣ୍ଣାଟକରେ ଅଣ ଜଳସେଚିତ ଜମି ପାଇଁ ଇନପୁଟ ସବସିଡ ହେକ୍ଟର ପିଛା ୧୩ ହଜାର ୬୦୦ ଟଙ୍କା ମିଳୁଥିବା ବେଳେ ଓଡିଶାରେ ଏହା ହେଉଛି ମାତ୍ର ୬ ହଜାର ୮୦୦ ଟଙ୍କା । ସେହିପରି କର୍ଣ୍ଣାଟକରେ ଜଳସେଚିତ ଜମି ପାଇଁ ଇନପୁଟ ସବସିଡ ହେକ୍ଟର ପିଛା ୨୫ ହଜାର ଟଙ୍କା ମିଳୁଥିବା ବେଳେ ଓଡିଶାରେ ଏହା ହେଉଛି ମାତ୍ର ୧୩ ହଜାର ୫୦୦ ଟଙ୍କା । ଏଥିରୁ ସ୍ପଷ୍ଟ ଯେ ଓଡିଶାରେ ବିଜୁ ଜନତା ଦଳ ଚାଷୀମାନଙ୍କ ପାଇଁ ଆଦୌ ଦରଦୀ ନୁହେଁ ।
ପଦମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ହୋଇଥିବା ପ୍ରଦିପ ପୁରୋହିତ ଇନପୁଟ ସବସିଡ ପାଇବା ପାଇଁ ହେଉଥିବା ଚାଷୀ ଆନ୍ଦୋଳନ ସହିତ ପ୍ରଥମ ଦିନରୁ ସାମିଲ ଅଛନ୍ତି । ବାରମ୍ବାର ଏହି ପ୍ରସଙ୍ଗରେ ସରକାରଙ୍କ ପାଖରେ ଚାଷୀମାନଙ୍କ କଥା ଉଠାଇ ଆସିଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ଏବଂ କ୍ଷେତ୍ରୀୟ ମିଡିଆ ସଂଯୋଜକ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।