ବାଙ୍କୀ ଡମପଡ଼ା ବ୍ଲକ ପାଥପୁର ମୌଜାରେ ରହିଛି ପାଣ୍ଡବ ବଖରା ପାହାଡ଼ । ଏହି ପାହାଡଟି ଚନ୍ଦକା ଅଭୟାରଣ୍ୟର ଅତି ନିକଟତର ହୋଇଥିବାରୁ ପାହାଡ଼ଟିର ପୌରାଣିକ କଥା ରହିଛି । କୁହାଯାଏ ଦ୍ୱାପର ଯୁଗରେ ଯେତେବେଳେ ପାଣ୍ଡବମାନେ ଅଜ୍ଞାତ ବାସରେ ଥିଲେ ସେତେବେଳେ କୁଆଡେ ପାଣ୍ଡବମାନେ ଏହି ପାହାଡ଼ ଉପରେ ରହୁଥିଲେ । ପାଞ୍ଚ ଭାଇଙ୍କ ସହିତ ଧର୍ମପତ୍ନୀ ଦ୍ରୌପଦୀ ମଧ୍ୟ ଥିଲେ ସେମାନଙ୍କ ସହ । ତଥାପି ମନରେ ପ୍ରଶ୍ନ ଆସେ ସତରେ କଣ ପାଣ୍ଡବମାନେ ଆସି ଏହି ପାହାଡ଼ରେ ରହିଥିଲେ ? ଏହି ଗୁମ୍ଫାରେ ପାଞ୍ଚ ଭାଇଙ୍କର ପାଞ୍ଚ ଗୋଟି ବଖରା ରହିଛି । କିଛି ଶିଳାରେ ଲିପିବଦ୍ଧ ମଧ୍ୟ ହୋଇ ରହିଛି ।
ଏବେ ବର୍ଷା ଦିନ ହୋଇଥିବାରୁ ଏହି ପାହାଡ଼ ଉପରକୁ ଚଢ଼ିବା ବିପଦ ଜନକ ହୋଇଥାଏ । କାରଣ ବର୍ଷାପାଣି ପଡି ପାହାଡ଼ର ଅନେକ ସ୍ଥାନରେ ଶିଉଳି ଲାଗିଯାଇଥାଏ । ଯାହାଫଳରେ ପଥରକୁ ଧରି ଚଢ଼ିବା ସମ୍ଭବ ହୋଇ ନଥାଏ । ପାହାଡ଼ର ଅନେକ ସ୍ଥାନରେ ମଧ୍ୟ ବର୍ଷାପାଣି ଜମାଟ ବାନ୍ଧି ରହିଥିବା ଦେଖିବାକୁ ମଧ୍ୟ ମିଳିଛି । କେବଳ ସେତିକି ନୁହେଁ ଏହି ପାହାଡଟି ଚନ୍ଦକା ଅଭୟାରଣ୍ୟ ନିକଟରେ ଥିବାରୁ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଏହି ପାହାଡ଼ରେ ଦେଖିବାକୁ ମିଳିଥାଏ । ଯାହାକି ପର୍ଯ୍ୟଟକ ମାନଙ୍କ ପାଇଁ ଏହା ସୁରକ୍ଷିତ ନୁହେଁ । ସେପଟେ ଏହା ସୁରକ୍ଷିତ ନଥିବା କହିଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ ।
ଲୋକକଥା ଓ କିମ୍ବଦନ୍ତୀ ଭିତରେ ଏବେବି ଅତୁଟ ଓ ଅକ୍ଷୁଣ୍ଣ ରହିଛି ଏହି ପାଣ୍ଡବ ଗୁମ୍ଫା । ତଥାପି ଆବଶ୍ୟକ ହେଉଛି ରକ୍ଷଣା ବେକ୍ଷଣ । ଏହି ପୌରାଣିକ ମହତ୍ୱ ଥିବା ଜାଗାଟି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରିବ । ତେବେ ଏଥିପାଇଁ ଲୋଡ଼ା କେବଳ ପର୍ଯ୍ୟଟନ ବିଭାଗ ଓ ପ୍ରତ୍ନତତ୍ବ ବିଭାଗ ମିଳିତ ସହଯୋଗ ।