ଭୁବନେଶ୍ୱର: ନୟାଗଡର ବହୁଚର୍ଚ୍ଚିତ ୫ବର୍ଷର ଶିଶୁ ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ମାମଲାରେ ରାଜ୍ୟ ସରକାର ଅସଲି ଅପରାଧୀକୁ ଧରିବା ଜାଗାରେ ବିଭିନ୍ନ ସମୟରେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି । ଜାନୁଆରୀ ୧୪ ତାରିଖରେ ପରୀର ମା ସୌଦାମିନୀ ସାହୁ ପରୀ ସମେତ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟୟଦେବାପାଇଁ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେହିଦିନ ମାନ୍ୟବର ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବୃଆରୀ ୨୨ ସୁଦ୍ଧା ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ଏହି କେସର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ନୟାଗଡ ଚିଲଡ୍ରେନ କୋର୍ଟରେ ଚାର୍ଜସିଟମଧ୍ୟ ଦାଖଲ କରିସାରିଛି । ହେଲେ ରାଜ୍ୟ ସରକାର ଫେବୃଆରୀ ୨୨ରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନରଖି ଓଲଟା ଆହୁରି ୪ ସପ୍ତାହ ମହଲତ ମାଗିଥିଲେ । ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ରାଜ୍ୟ ସରାକର ଚିଲଡ୍ରେନ କୋର୍ଟରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚାର୍ଜସିଟ ଦାଖଲ କରିଛନ୍ତି ଏବଂ ତଥ୍ୟ ପ୍ରମାଣ ଦେଇ ତାକୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପର୍ଯ୍ୟାପ୍ତ ବୋଲି କହୁଛନ୍ତି ସେତେବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀ ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ଅଟକାଇବା ପାଇଁ ଦେଶର ସବୁଠୁ ଦାମିକିଆ ଓକିଲ ଇ.ସି ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି । ଇ.ସି ଅଗ୍ରୱାଲ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ରାଜ୍ୟ ସରକାର ରଥଯାତ୍ରା ନକରାଇ ଦେବା ଲାଗି ନିଯୁକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଇସି ଅଗ୍ରୱାଲ ସୁପ୍ରିମକୋର୍ଟରେ ମିଥ୍ୟା ତଥ୍ୟ ରଖି ରଥଯାତ୍ରା ନକରାଇବା ଲାଗି ଓକିଲାତି କରିଥିଲୋ ପରବର୍ତୀ କାଳରେ କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାର ଏହି କେସ ହାରିଲେ ଏବଂ ରଥଯାତ୍ରା ପାଇଁ ବାଟ ଖୋଲିଥିଲା । ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ପରୀ ହତ୍ୟା ଓ ଅଙ୍ଗ ତସ୍କରୀ ଘଟଣାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଦେଇ ସିବିଆଇକୁ ଅଟକାଇବା ପାଇଁ ଇ.ସି ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତିକି? ସିବିଆଇଆସିଲେ ସତ୍ୟର ଖୁଲାସା ହେବ,ଏଥିପାଇଁ ରାଜ୍ୟ ସରକାର ଭୟଭୀତ କ’ଣ ପାଇଁ? ରାଜ୍ୟର ମନ୍ତ୍ରୀ ଅରୁଣସାହୁଙ୍କ ସିଧାସଳଖ ପରୀ ଘଟଣାରେ ସଂପୃକ୍ତି ଆସିବା ପରେ ରାଜ୍ୟ ସରକାର ତାଙ୍କୁ ବଂଚାଇବା ପାଇଁ ଏଭଳି କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ନୟାଗଡ ଚିଲଡ୍ରେନକୋର୍ଟରେ ରାଜ୍ୟ ସରକାରଙ୍କ ଗଠିତ ଏସଆଇଟି ସବୁ ତଥ୍ୟ ପ୍ରମାଣ ରଖି ଚାର୍ଜସିଟ ଦାଖଲ କରିସାରିଛି ହେଲେ ସେହି ତଥ୍ୟ ପ୍ରମାଣ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ନରଖିକିି ପୁଣି ୪ ସପ୍ତାହ ସମୟ ମାଗିବା ଆଶ୍ଚର୍ଯ୍ୟଜନକା ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସିବିଆଇ ଆସିଲେ ସତ୍ୟ ଧରାପଡିବା ଭୟରେ ରାଜ୍ୟ ସରକାର ନୂଆ ଭେଳିକି କରୁଛନ୍ତି । ଏହି ୪ ସପ୍ତାହରେ ସବୁ ପ୍ରକାର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ମହଲତ ନେଇଛନ୍ତି । ୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ପରୀ ଓ ୫୫୦୦ ନିଖୋଜ ଶିଶୁଙ୍କ ଠାରୁ କ’ଣ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁ ବେଶି ଗୁରୁତ୍ୱପୂର୍ଣ୍ଣ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।