୨୪ ବର୍ଷ ହେଲାଣି ରାଜ୍ୟରେ ଜୋରଦାର ଚାଲିଥିଲା ପିସି କାରବାର । ଖାସ୍ କରି ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେଇ ଚାନ୍ଦା ନେବା ଥିଲା ଲକ୍ଷ୍ୟ । କିନ୍ତୁ ପ୍ରଚାର ବେଳେ ମୋଦି କହିଥିଲେ ଭାଙ୍ଗିବ ମାଫିଆଙ୍କ ଅଣ୍ଟା । ଆଉ ଏବେ ଜଣଙ୍କ ପରେ ଜଣେ ଦୁର୍ନୀତି ଖୋର ଅଫିସରଙ୍କ ଭାଙ୍ଗୁଛି ଅଣ୍ଟା । ଖାସ କରି, ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ ହେବା ପରେ କେମିତି ରାଜ୍ୟରେ ଦୁର୍ନୀତି ଚାଲିଥିଲା ତାହାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ସୂଚନା ଅନୁସାରେ, ବାବୁଙ୍କ ପାଖରୁ କେଜିଏ ସୁନା, ୪୫ ପ୍ଲଟ୍, ୨ ଟି ଫ୍ଲାଟ୍ , ୮୮ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍, ଏକାଧିକ କାର, ଜେସିବି, କ୍ରସର ୟୁନିଟ୍, ଏସ୍କାଭେଟର ମେସିନ୍ ଜବତ ହୋଇଛି ।
ବିଜେଡି ସରକାରରେ ରିମୋଟ୍ ଥିଲା ତୃତୀୟ ମହଲାରେ । ଅଭିଯୋଗ ଅନୁସାରେ, ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେଇ ଚାନ୍ଦା ଆଦାୟ କରୁଥିଲେ ପିସି ମାଫିଆ । ଆଉ ଯେତିକି ଆଦାୟ ହେଉଥିଲା ତାହା ସିଧା ପହଞ୍ଚୁଥିଲା ଥାର୍ଡ ଫ୍ଲୋରରେ । ଖାସ୍ କରି ପାଣ୍ଡିଆନ୍, କୁଟ୍ଟେ ଓ ବବିଙ୍କ ପାଖରେ କେତେ ପହଞ୍ଚୁଥିଲା ପିସି ଟଙ୍କା ତା'କୁ ନେଇ ଉଠିଛି ପ୍ରଶ୍ନ ।
ମୋଟ୍ ଉପରେ, ଦୁର୍ନୀତିଗ୍ରସ୍ତ ପିସି ମାଫିଆଙ୍କୁ ଘଣ୍ଟ ଘୋଡାଇ ରଖିଥିଲା ନବୀନ ସରକାର । ନବୀନ ବାବୁଙ୍କ ପିସି ମଷ୍ଟ ଷ୍ଟପ୍ ନାରା ଥିଲା କେବଳ ମିଛ ପ୍ରଚାର । ଯଦି ଏମିତି ନିଷ୍ପତ୍ତି ନେଉଥିଲେ ନବୀନ ସରକାର ତାହାଲେ ରାଜ୍ୟରୁ ଏତେ ମାତ୍ରାରେ ଦୁର୍ନୀତିଗ୍ରସ୍ତ ବାବୁ କାହିଁକି ଧରାପଡୁଛନ୍ତି ତାହା ଏବେ ପ୍ରଶ୍ନ ଘେରରେ । ଖାଲି ଏତିକି ନୁହେଁ ବରଂ ଦୁର୍ନୀତିଖୋର ଅଧିକାରୀଙ୍କ ପଛରେ ଥିଲା କାହାର ହାତ ? ଅଭିଯୋଗ, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି। ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପରେ ଏବେ ମାଲିକମାନଙ୍କ ଭିତରେ ଛନକା । କାରଣ ଆଗାମୀ ଦିନରେ ଆହୁରି ଦୁର୍ନୀତି ଖୋର ବାବୁଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।