କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ବାବୁ ସ୍ଥିର କରନ୍ତି । ଆଉ ଏକଥା ପୂର୍ବରୁ ପିସିସି ସଭାପତି ପଦବୀରୁ ବିଦା ହେବାପରେ ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଆଉ ସେ କହିଥିବା କଥା କିଛି ନୂଆ ନୁହେଁ ବୋଲି ସୁର କହିଥିଲେ । ତେବେ ନିରଞ୍ଜନ କହିଛନ୍ତି ସେ କେବେ ଏହା କହିନାହାନ୍ତି, ଆଉ ଜୟଦେବ ବାବୁ କହିଥିବା କଥା ସେ ଜାଣିନାହାନ୍ତି । ହେଲେ ସୁରଙ୍କ ରୋକଠୋକ୍ ଜବାବ, ଉତ୍ତର ଦେଇ ସାରିଛି, ଯାହା କରିବାର ଅଛି କର।
ସେପଟେ କଂଗ୍ରେସକୁ ବିଜେଡିର ବି ଟିମ୍ ବୋଲି ବିରୋଧୀ ସବୁବେଳେ କହି ଆସୁଥିବା ବେଳେ ଏଥିରେ ଏକପ୍ରକାର ମୋହର ଲଗାଇଛନ୍ତି କଂଗ୍ରେସ ଦଳର ନେତାମାନେ । ହେଲେ ସୁରଙ୍କୁ ପିସିସି ତରଫରୁ ନୋଟିସ ପଛରେ ବଡ ଯୋଜନା ଥିବାର କୁହାଯାଉଛି । ସେପଟେ ଆକ୍ସନ ଏଆଇସିସି ନେବ ବୋଲି କହି ପିସିସି ମୁଖିଆ କାମ ସାରିଦେଇଥିବା ବେଳେ, ଜବାବ ରଖିଛନ୍ତି ସୁର।
ଅନ୍ୟପଟେ ରାଜ୍ୟ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ୱିତୀୟ ଦିନ ପାଇଁ କଂଗ୍ରେସ ଭବନରେ ମାନସମନ୍ଥନ ହୋଇଛି । ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଦଳୀୟ ନେତାଙ୍କୁ ଡାକି ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ଆଉ ଏସବୁ ଭିତରେ ଜଣେ ବିଧାୟକଙ୍କୁ ସଭାପତି କରିବା ପାଇଁ ଦଳରେ ଦାବି ହୋଇଛି ।
ସଭାପତି ଚୟନ ପୂର୍ବରୁ କଂଗ୍ରେସରେ ବଡ ଧରଣର ତୁତୁ ମେଁ ମେଁ। ଆଉ ଏପରି ସ୍ଥିତିରେ ଅଣ୍ଟାଭାଙ୍ଗି ଯାଇଥିବା ରାଜ୍ୟ କଂଗ୍ରେସ ଅଣ୍ଟା ସଳଖ କରି ଛିଡା ହୋଇ ପାରିବ ତ ?