ଭୁବନେଶ୍ୱର: ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ୍ ଘୋଷଣା ପରେ, ଏବେ ବିଭିନ୍ନ ରାଜନୈତିକ ମହଲରୁ ଏହାକୁ ନିନ୍ଦା କରାଯାଇଛି । ବିଜେପୁର ପାଇଁ ଏତେ ବଡ଼ ପ୍ୟାକେଜ୍ ଘୋଷଣା ପଛରେ କ’ଣ ଉଦ୍ଦେଶ୍ୟ ଥାଇ ପାରେ ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହେଲାଣି । ଏନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛି । ପ୍ୟାକେଜ୍ ଘୋଷଣା କରି ନବୀନ ବିଜେପୁରରେ ଉପ-ନିର୍ବାଚନ ଚାହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବିଜେପୁରର ସର୍ବାଙ୍ଗୀନ ବିକାଶ ନାଁରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ୨୪ ଘଂଟା ନ ପୁରୁଣୁ ନବୀନ ପଟ୍ଟନାୟକ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ନୂଆ ସରକାର ଗଠନ ହେଉ ହେଉ କେବଳ ଗୋଟିଏ ବିଧାନସଭା କ୍ଷେତ୍ର ପାଇଁ ଯେଉଁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଗଲା ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ପ୍ରେସ୍ ବିବୃତିରେ ଶ୍ରୀ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା ପଛର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ୧୪୭ ବିଧାନସଭା ମଧ୍ୟରୁ କେବଳ ବିଜେପୁର ପାଇଁ ଏଭଳି ପ୍ୟାକେଜ୍ ପଛର କାରଣ କ’ଣ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ଜିତି ସରକାର ଗଠନ କରିବା ପରେ ନବୀନ ବାବୁ ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ମୁଖ୍ୟମନ୍ତ୍ରୀ ଅଟନ୍ତି, ତେଣୁ କେବଳ ନିଜ ବିଧାନସଭା କ୍ଷେତ୍ରକୁ ଏଭଳି ଅଗ୍ରାଧିକାର ଦେବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ନିରଞ୍ଜନ ।
କିଛିଦିନ ପୂର୍ବରୁ ବିଜେପୁର ଉପନିର୍ବାଚନ ବେଳେ ନବୀନ ବାବୁ ଯେଉଁ ପ୍ୟାକେଜ୍ ଘୋଷଣା କରିଥିଲେ ତା’ର ସ୍ଥିତି କ’ଣ ଓ ପୂର୍ବର ପ୍ୟାକେଜ୍ କେତେ କାର୍ଯ୍ୟକାରୀ ହୋଇଛି ତା’ର ହିସାବ ନବୀନ ବାବୁ ଦିଅନ୍ତୁ ବୋଲି ଦାବି କରିଛନ୍ତି ନିରଞ୍ଜନ ।
ବିଜେପୁରର ଏହି ପ୍ୟାକେଜ୍ ପଛରେ ବିଜେଡି ଓ ନବୀନ ବାବୁଙ୍କର ହୀନ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ । ନବୀନ ବାବୁ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରୁ ଜିତିଛନ୍ତି । ଆଗକୁ ବିଜେପୁର ଆସନ ଖାଲି କରିବାର ସମ୍ଭାବନା ରହିଛି । ତେଣୁ ଉପନିର୍ବାଚନକୁ ଆଖିରେ ରଖି ନବୀନବାବୁ ଏଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ରାଜ୍ୟବାସୀଙ୍କ ପଇସାରେ ପ୍ୟାକେଜ୍ ଘୋଷଣା କରି ଶସ୍ତା ପଲିଟିକ୍ସ ନବୀନ ବାବୁ ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ନିରଞ୍ଜନ ।
