ଯେଉଁ ଗାଡ଼ି ଗୁଡ଼ିକ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକରଣ ହୋଇଛି ସେଗୁଡ଼ିକରେ ଏଚ୍ଏସ୍ଆରପି ଲଗାଇବା ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଯାନବାହନର ଶେଷ ନମ୍ବର ୧,୨, ୩ ଓ ୪ ଥିବ ସେଗୁଡ଼ିକ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏଚ୍ଏସ୍ଆରପି କରିବାକୁ କୁହାଯାଇଥିଲା। ଚଳିତ ମାସ ଶେଷ ଯାଏ କୌଣସି ଯାନବାହନରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି। ଏହାପରେ ଇ-ଚାଲାଣ ଓ ଜରିମାନା ଆଦାୟ ହେବ। ପରିବହନ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୧୦,୬୫୩୧୨ ଗାଡ଼ି ମାଲିକ ଏଚ୍ଏସ୍ଆରପି ପାଇଁ ସ୍ଲଟ ବୁକ୍ କରିଛନ୍ତି। ସେଥିରୁ ୫,୯୩,୭୧୭ ଗାଡ଼ିରେ ଏଚ୍ଏସ୍ଆରପି ଲାଗି ସାରିଛି। ସ୍ଲଟ ବୁକ୍ କରିଥିବା ଗାଡ଼ି ମାଲିକ ଯଦି ଏହି ସମୟ ମଧ୍ୟରେ ଏଚ୍ଏସ୍ଆରପି ନଲଗାଇବେ ତେବେ ସେମାନଙ୍କୁ ମୋଟର ଯାନ ଆଇନ ୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରଣା କରିବାକୁ ପଡ଼ିବ ବୋଲି ସତର୍କ କରାଯାଇଛି। ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ ଲଗାଇବା ପାଇଁ ୨୦୨୨ ଅଗଷ୍ଟ ୩୧ ତାରିଖକୁ ଡେଡଲାଇନ ରଖାଯାଇଥିଲା। ପରେ ଏହାକୁ ୧ମାସ ପାଇଁ ବୃଦ୍ଧି କରାଯାଇଛି। ଏହି ସମୟ ଅତିକ୍ରମ ହେଲେ ଗାଡ଼ି ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ। ଯେଉଁ ଯାନବାହନ ଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି ସେମାନଙ୍କ ପାଇଁ ଏଚ୍ଏସ୍ଆରପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ୩ ଓ ୪ ସେପ୍ଟେମ୍ବର ୩୦, ୫ ଓ ୬ ଅକ୍ଟୋବର ୩୧ ଏବଂ ୭ ଓ ୮ ନଭେମ୍ବର ୩୦ ଏବଂ ୯ଓ ୦ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକ ପାଇଁ ୨୦୨୨ ଡିସେମ୍ବର ୩୧କୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନକରି ଗାଡ଼ି ମାଲିକମାନେ ଯଥାଶୀଘ୍ର ନିଜ ଗାଡ଼ିରେ ଏଚ୍ଏସ୍ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।