କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ମଧ୍ୟ କେହି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି । ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଗତ ୯ ବର୍ଷ ତଳେ ଗଠନ ହୋଇଥିବା ବେଳେ ଏବେ ମଧ୍ୟ ଏନଏସି ବାସିନ୍ଦା ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପରେ ସାଧାରଣତଃ ମୋଳିକ ସମସ୍ୟା ପାନୀୟ ଜଳ, ବିଦ୍ୟୁତ, ରାସ୍ତାଘାଟ ସାଧାରଣ ଲୋକଙ୍କ ପାଖକୁ ସୁଚାରୁ ରୁପେ ପହଞ୍ଚାଇବା କଥା । କିନ୍ତୁ ଧର୍ମଗଡ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଏବେ ମଧ୍ୟ ଲୋକେ ଡ୍ରେନ ମଧ୍ୟରେ ଥିବା ପାଇପ ଲାଇନରୁ ପାଣି ସଂଗ୍ରହ କରି ପିଇବା ସହିତ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଅନେକ ଥର ପାନୀୟ ଜଳ ସମସ୍ୟା ନେଇ ବସ୍ତିପଡା ଓ ତେନ୍ତୁଲିଆପଡା ବାସୀନ୍ଦା ଏନଏସି କର୍ତ୍ତପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଧର୍ମଗଡ ତେଲ ନଦୀରୁ ପିଇବା ପାଣି ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ବେଳେ ପାଇପ ଗୁଡିକ ସହରର ଡ୍ରେନ ମଧ୍ୟରେ ପୋତା ଯାଇଥିବା ଯୋଗୁଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁନାହିଁ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ