ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରି କଟକଣାକୁ ବାଏଁବାଏଁ ଉଡାଉଛନ୍ତି ସେବାୟତ। 2020 ମସିହାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ନିଆଯାଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରୀମନ୍ଦିର ଭିତରେ ପାନ ଛେପ ପକାଇଲେ ଗଣିବେ 500 ଟଙ୍କାର ତଣ୍ଡ। ହେଲେ ଦୁଇବର୍ଷ ପୁରିଯାଇଥିଲେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଏବେବି ଶ୍ରୀମନ୍ଦିର ଭିତରେ ଅନେକ ଜାଗାରେ ପାନଛେପ ପଡୁଥିବା କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ୍ ମହାପାତ୍ର। ସେପଟେ କଟକଣା ଏକପ୍ରକାର ଧୂଆଁବାଣ ସଦୃଶ ହୋଇଥିବା ବେଳେ କଟକଣାକୁ ଉଲଙ୍ଘନ ଅଧିକାଂଶ ସେବାୟତ ମାନେ କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପଟେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିଲେ ଏଭଳି ଅଭାବନୀୟ ଦୃଶ୍ୟ ଆଉ ଦେଖିବାକୁ ମିଳିବନି ବୋଲି ମତ ପ୍ରକାଶ ପାଇଛି। କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାନର ପୀଠ ହେଉଛି ଶ୍ରୀମନ୍ଦିର। ଏହାର ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଦାୟିତ୍ୱ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର। ତେଣୁ ମନ୍ଦିର ଭିତରକୁ କେହି ପାନ କିମ୍ବା ଗୁଟଖା ଖାଇ ଯିବେନାହିଁ ବୋଲି କଟକଣା ଲଗାଯାଇଛି। ଏଥିପାଇଁ ପ୍ରବେଶ ପଥ ମାନଙ୍କରେ ଯାଞ୍ଚ ମଧ୍ୟ କଡାକଡି କରାଯାଉଛି। କିନ୍ତୁ ପ୍ରଚଳିତ କଟକଣାକୁ ଆଖିଠାର ଦେଖାଇ କେତେଜଣ କର୍ମଚାରୀ, ସେବାୟତ ଏବଂ ଭକ୍ତ ପାନ ଓ ଗୁଟଖା ଖାଇ ମନ୍ଦିର ପରିମଳ ବ୍ୟବସ୍ଥାକୁ ବିଗାଡୁଥିବା ଖୋଦ୍ ମାନିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା।
ସେପଟେ କର୍ମଚାରୀ ଅଭାବ ଯୋଗୁଁ ପାନଛେପ ପକାଇବା ଉପରେ ଦୃଷ୍ଟି ଦିଆଯାଇ ପାରୁନଥିବା କହି ଶ୍ରୀମନ୍ଦିର ପ୍ରଶାସନର ଅପାରଗତାକୁ ମଧ୍ୟ ପଦାରେ ପକାଇଛନ୍ତି କମିଟିର ସଦସ୍ୟ ମାଧବ ପୂଜାପଣ୍ଡା। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ 24 ଘଣ୍ଟିଆ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ ହେଲେ ଶ୍ରୀମନ୍ଦିରର ଅନେକ ସମସ୍ୟା ସମାଧାନ ହୋଇପାରିବ କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।
ଓଡିଶା ଖବର ଆହୁରି ପଢନ୍ତୁ