ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୀର୍ଘ ପନ୍ଦର ଦିନ ଧରି ପିତୃପୁରୁଷ ମାନଙ୍କ ଉଦ୍ୟେଶ୍ୟରେ ତର୍ପଣ କରାଯିବାର ବିଧି ଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ । ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି । ଶ୍ରୀମନ୍ଦିର ନିକଟରେ ତିଳତର୍ପଣ କଲେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରିଯାଏ ବୋଲି ବିଶ୍ୱାସ ରହିଛି ।
ସେପଟେ ପିତୃପକ୍ଷ କଣ ଓ କିଭଳି କରାଯାଏ ସେନେଇ ରହିଛି ସ୍ୱତନ୍ତ୍ର ପରମ୍ପରା । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେ କୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ ରହିଛି ।
କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା । କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା । କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ । ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ ।
ପିତୃପକ୍ଷ ପାଳନରେ ନେଇ ରହିଛି କିଛି ନିତି ନିୟମ, ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ । ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍ ।