ସକାଳେ ଦେଉଳ ଦୁଆରେ, ଦିଅଁକୁ ପଛ କରି ଆପଣଙ୍କ ବୁଢା ବାପା, ବୋଉଙ୍କୁ ଆଗ ଦଣ୍ଡବତ ପଡିବ। ସନ୍ଧ୍ୟା ହେଲେ କ୍ଲବ ଘରେ କ୍ୟାରେମ୍ ଖେଳ ପୂର୍ବରୁ ପାଉଡର ପକାଇବାକୁ ବି ଏମାନେ ପହଞ୍ଚିଯିବେ। କାରଣ ଏ ଋତୁ ଏବେ ତାଙ୍କର। ଆଉ ଆପଣଙ୍କ ଭଳି ଭୋଟର ସବୁ ହୋଇପାରନ୍ତି ତାଙ୍କର ଶିକାର।
କାର୍ତ୍ତିକ ମାସରେ ବଡ଼ ଦେଉଳର ବିଧବା ବୁଢୀମାନେ ରୁଣ୍ଡ ହେଲା ପରି ଗାଁ ଏବେ ନେତା, କୁଜିନେତା, ବତିପେଲାମାନଙ୍କ ଏକତ୍ର ରହଣୀର ଆଡ୍ଡାସ୍ଥଳ। ନିଜକୁ ସ୍ବଚ୍ଛ ବୋଲି ପ୍ରଦର୍ଶିତ କରିବାକୁ ଶୁକ୍ଳ ବସ୍ତ୍ର ପରିଧାନର ପ୍ରାବଲ୍ୟ ବି ବଢିଛି । ଏଥିରେ ଆପଣଙ୍କ ଭଳି ସାଧାରଣ ଭୋଟର ଫଶି ଯିବାର ପ୍ରବଳ ସମ୍ଭାବନା ରହିଛି। ଏ କଥା ସବୁବେଳେ ମନେରଖିବେ, ଧଳା କମିଜ୍ ପିନ୍ଧିଲେ କାଉ କେବେ ବଗ ପାଲଟି ଯିବନି। ଅବଶ୍ୟ ସମସ୍ତ ନେତାଙ୍କ କ୍ଷେତ୍ରରେ ଏ କଥାଟି ଲାଗୁ ହେବ ନାହିଁ। ତଥାପି ଆମ ନେତାଙ୍କ ଚିତ୍ର ଚରିତ୍ର ପରିବର୍ତ୍ତନ ପାଇଁ ବେଶି ସମୟ ଲାଗେନି। ଠିକ୍ କାଉ ଆଉ ବଗର ରଙ୍ଗ ଭଳି। ଦେହରେ ଧଳା କାମିଜ ପିନ୍ଧିଥିବା ମଣିଷଙ୍କ ପଛରେ ପ୍ରବଳ କଳାମାଲ୍ ବୁଲୁଛି। କେଉଁଠି ମଦରେ ତ କେଉଁଠି ମନିରେ ଏଗୁଡାକ ଥୋପ ହେଇ ଆପଣଙ୍କ ମୁହଁରେ ଗଳିପାରେ। ସାବଧାନ, ଥୋପ ଗିଳି, ଖସିବା ଶିଖନ୍ତୁ। ଖସିବା ଶିଖିଥିଲେ ଆପଣ ବଞ୍ଚିଯିବେ।
ଏ ସମସ୍ତ ଦ୍ରବ୍ୟମାନ ଆପଣଙ୍କୁ ପ୍ରଲୋଭିତ କରିବାକୁ ଯଥେଷ୍ଟ। ଏଣୁ ଟିକେ ବାଗେଇ ସାଗେଇ ରହିବେ। ନ ହେଲେ ଧଳା କାମିଜ୍ ବାଲା, କଳା ଧନରେ ଆପଣଙ୍କ ଗୋଡ ହାତ ଧରି ଭୋଟ ଖଣ୍ଡକ ନେଇ ପଳେଇବେ ଯେ, ଆଉ ୫ ବର୍ଷ ଯାଏଁକେ ଧରାଛୁଆ ଦେବେନି। ନିର୍ବାଚନ ଋତୁରେ ଆପଣଙ୍କ ଦେହ ଖରାପ କରି ଓଷଦ ଦେବାକୁ ବ୍ୟବସ୍ଥା କରୁଥିବା ଲୋକଙ୍କ ପାଇଁ ମିଛି ମିଛିକା ଜରରେ ପଡନ୍ତୁ, ସତସତିକା ସଚେତନ ରୁହନ୍ତି। ପ୍ରଲୋଭନରେ ନ ଫଶି ଉଚିତ୍ ଲୋକକୁ ଭୋଟ ଦେଇ ନିଜ ଅଞ୍ଚଳର ସ୍ଥିତି ସୁଦୃଢ କରନ୍ତୁ।