ଏହି ଡବଲ ମର୍ଡର ଘଟଣା ମନରୁ ନ ଲିଭୁଣୁ ଗତ ମେ ମାସ ୨୯ ତାରିଖରେ ସେଇ ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁରେ ଛୁରାମାଡ଼ । ବାବୁ ଗୌଡ଼ ଏବଂ ପ୍ରଦୀପ ସାହୁଙ୍କୁ ଧାରୁଆ ଛୁରୀରେ ବେକକୁ କାଟିଦେଇ ଯୁବକ ଫେରାର ହୋଇଯାଇଥିଲେ । ମେଡ଼ିକାଲରେ ଡାକ୍ତର ବାବୁ ଗୌଡ଼ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ପ୍ରଦୀପ ସାହୁଙ୍କ ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଥିଲା । ଏଥିରେ ଜଣକୁ ପୋଲିସ ଗିରଫ କରିଛି । କେବଳ ବ୍ରହ୍ମପୁର ଦିଗପହଣ୍ଡି ଅଞ୍ଚଳରେ ଡବଲ ମର୍ଡର ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାସହ ପୁଣି ସେହି ଦିଗପହଣ୍ଡି ଅଞ୍ଚଳ ଭୀଷ୍ମଗିରି ପଞ୍ଚାୟତର ସମିତିସଭ୍ୟ ଶିବରାମ ପ୍ରଧାନକୁ ମାରିଦେବାର ବାରମ୍ବାର ଧମକ ଆସୁଛି । ନିର୍ବାଚନକୁ ନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହିଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅନୁରୂପ ଭାବେ ପୁଣି ଜୁନ ୬ ତାରିଖରେ ବ୍ରହ୍ମପୁର ସଦରଥାନାର ମସିହାଖାଲିରେ ୩ ଜଣକୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ସମସ୍ତେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ମସିହାଖାଲିର ବିଜୟୀ ସରପଞ୍ଚଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି । ଏହାଛଡା ବ୍ରହ୍ମପୁର ପୋଲିସ ଜିଲ୍ଲାର ଚିକିଟି, ପାତ୍ରପୁରରେ ମଧ୍ୟ ପୂର୍ବରୁ ହଣାହଣି ଘଟଣା ବହୁବାର ଆସିଛି । ଆଉ ଏହି ସବୁ ଘଟଣା ପଛରେ କେବଳ ପଞ୍ଚାୟତ ନିର୍ବାଚନ ହିଁ ମୁଖ୍ୟ କାରଣ ପାଲଟିଛି । ସେପଟେ ଯେଉଁ ପଞ୍ଚାୟତରୁ ହିଂସାର ସେମିତିକିଛି ସୁରାକ ମିଳିବ ସେହି ଅଞ୍ଚଳରେ ଗାଁ କମିଟି କରାଯିବ ଏବଂ ଗାଁ ଗାଁ ରେ ପେଟ୍ରୋଲିଂର ବ୍ୟବସ୍ଥାକୁ ତ୍ୱରାନିନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ ପି ।
ଏତିକିରେ ମଧ୍ୟ ସୀମିତ ନୁହେଁ, ପଞ୍ଚାୟତ ନିର୍ବାଚନୀ ହିଂସା କମୁନଥିବା ବେଳେ ପୁଣି ଏବେ ସମବାୟ ନିର୍ବାଚନୀ ହିଂସା ମଧ୍ୟ ଶୀର୍ଷରେ । ଏଇ ଯେମିତି ଗଞ୍ଜାମ ପୋଲିସ ଜିଲ୍ଲାର ଜାମୁନି ଗାଁର ଘଟଣା । ଗତ ପଞ୍ଚାୟତ ନିର୍ବାଚନରୁ ଦୁଇଗୋଷ୍ଠୀ ଭିତରେ ଏକାଧିକ ବାର ତୁ ତୁ ମେଂ ମେ ହୋଇ ଏବେ ସମବାୟ ନିର୍ବାଚନ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା । ଗତ ୭ତାରିଖ ବିଳମ୍ବିତ ରାତିରେ ବିଜୟୀ ହୋଇଥିବା ସରପଞ୍ଚଙ୍କ ଗୋଷ୍ଠୀରୁ ଯୋଗେଶ ବେହେରା ଏବଂ ଅଜିତ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯାହା ଫଳରେ ଯୋଗେଶଙ୍କର ମୃତ୍ୟୁ ହୋଇଥିବା ବେଳେ ଅଜିତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ପୁରା ଗାଁ ପରିବେଶ ମଧ୍ୟ ସୁନସାନ । ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଧା ୪ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା କେନ୍ଦୁପଦର ଗାଁରେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନୀ ହିଂସାରେ ବୁଲୁ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଯେଉଁ ଥିରେକି ପାଖାପାଖି ୨୦ ଜଣ ଅଭିଯୁକ୍ତ ରହିଥିଲେ । ଅନୁରୂପ ଭାବେ ସେଇ ଗଞ୍ଜାମ ପୋଲିସ ଜିଲ୍ଲାରେ ଏପ୍ରିଲ ୨୧ ତାରିଖରେ ପୋଲସର ମୁକ୍ତାମାଳଦେଇପୁରରେ ଜଣେ ବିଜେଡ଼ି କର୍ମିଙ୍କୁ ହତ୍ୟା କରାଯାଇଥିଲା । ଅର୍ଥାତ ବ୍ରହ୍ମପୁର ପୋଲିସ ଜିଲ୍ଲାଭଳି ଗଞ୍ଜମ ପୋଲିସ ଜିଲ୍ଲାରେ ମଧ୍ୟ ନିର୍ବାଚନୀ ହିଂସା ଚରମରେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।