ଭୁବନେଶ୍ୱର: ରାଜ୍ୟର ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ବିଭିନ୍ନ ବିଧାୟକଙ୍କୁ ଦେଇଥିବା ମନ୍ତ୍ରୀପଦର କିଭଳି ସେମାନେ ଉପଯୋଗ କରିଛନ୍ତି ସେନେଇ ରିପୋର୍ଟ ମାଗିଥିଲେ ମୁଖ୍ୟମନ୍ତ୍ରୀ । ତେବେ ମାସକ ମଧ୍ୟରେ ମନ୍ତ୍ରୀମାନେ ନିଜ କାର୍ଯ୍ୟର ରିପୋର୍ଟ ସଠିକ୍ ସମୟରେ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।
ଏହାସହ ଆଜି ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମନ୍ତ୍ରୀମାନେ ନିଜ ବିଭାଗ ସଠିକ୍ ଦେଖାଶୁଣା କରିବା ଉଚିତ୍ । ତଳସ୍ତରକୁ ଯାଇ ଗାଁ ଲୋକଙ୍କ ପାଖରେ ବିଭିନ୍ନ ଯୋଜନା ଗୁଡ଼ିକ ପହଞ୍ଚୁଛି ନା ନାହିଁ ତାହା ବୁଝିବା ଆବଶ୍ୟକ ।ଏହାସହ ମନ୍ତ୍ରୀ ମାନଙ୍କୁ ଅଚାନକ ଗସ୍ତକରି ବିଭାଗର କାର୍ଯ୍ୟଶୈଳି ଉପରେ ନଜର ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶେଷରେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ବିଭାଗ ସଠିକ୍ କାମ କରୁଛି କି ନାହିଁ ମନ୍ତ୍ରୀମାନେ ଲୋକଙ୍କଠାରୁ ଫିଡ୍ବ୍ୟାକ୍ ନେବା ଉଚିତ୍ । ଅନ୍ୟପଟେ ରାଜ୍ୟ ସରକାରଙ୍କ 5T ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
ତେବେ ଏଠି ବାକି ରହିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କେତେ ଦୂର ପାଳନ କରୁଛନ୍ତି ମନ୍ତ୍ରୀ । କାରଣ ଗତ ଦୁଇ ବର୍ଷ ତଳେ ବିଭାଗୀୟ ସଚିବମାନଙ୍କୁ ମଧ୍ୟ ଗାଁକୁ ଯାଇ ରାତି ରହିବା ସହ ଲୋକଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କନ୍ତୁ ମୁଖ୍ୟମନ୍ତ୍ରୀଙ୍କ କଥା ସତେ ଯେମିତି ପାଣିର ଗାର ସାଜିଥିଲା ସଚିବଙ୍କ ପାଇଁ । କେବଳ ସଚିବ ତାରା ପ୍ରସାଦ ଦତ୍ତ ଗାଁକୁ ଯାଇ ରାତି ରହି ଲୋକଙ୍କ କଥା ବୁଝିଥିଲେ । ଅନ୍ୟ କୌଣସି ସଚିବ ଏଭଳି କରିଥିବା ନଜିର ନଥିଲା ।