ତଳେ ପ୍ରାଚୁର୍ଯ୍ୟ ଉପରେ ଦାରିଦ୍ର୍ୟ। ଏଠି ମହିଳା ଏବଂ ଶିଶୁଙ୍କ ନିମ୍ନତମ ଆବଶ୍ୟକତା ପୂରଣ ହେଉନି। ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଅପପୁଷ୍ଟର ବିକଳ ଚିତ୍ର। ତଥ୍ୟ କହୁଛି, ଦେଶର ଗଛିତ ଥିବା ଖଣିଜ ଲୌହର ସର୍ବାଧିକ ଅଂଶ ରହିଛି କେନ୍ଦୁଝର ଜିଲ୍ଲାରେ । ଆର୍ଥିକ ଦୃଷ୍ଟିରୁ କେନ୍ଦୁଝର ସହ ରାଜ୍ୟର କୌଣସି ଜିଲ୍ଲା ସମକକ୍ଷ ନୁହଁନ୍ତି।
କିନ୍ତୁ ଏଠାକାର ମହିଳା ରକ୍ତହୀନତାର ଶିକାର ହୋଇ ମୃତ୍ୟୁବରଣ କରୁଛି, ପୋଷଣ ଅଭାବରୁ ଶିଶୁର ମାନସିକ ଓ ଶାରୀରିକ ବିକାଶ ହେଉନାହିଁ। କେନ୍ଦୁଝରରେ ହିଁ ରାଜ୍ୟର ସର୍ବାଧିକ ରକ୍ତହୀନତାର ଶିକାର ମହିଳା ଏବଂ କୁପୋଷଣର ଶିକାର ଶିଶୁ ରହିଛନ୍ତି। ଗତ ସେପ୍ଟେମ୍ବର ୧ରୁ ୧୮ ଭିତରେ ଜିଲ୍ଲାରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହେବା ପରେ ଗଣମାଧ୍ୟମରେ ମୁଁହ ଖୋଲିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । କହିଥିଲେ ଶିଶୁଙ୍କ ଓଜନ କମ୍ ଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ହିଁ ଖୋଲି ଦେଇଛି ସ୍ବାସ୍ଥ୍ୟସେବାର ଅସଲ ଗୁମର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଜିଲ୍ଲା ତୁଳନାରେ ସବୁଠୁ ତଳେ ରହିଛି କେନ୍ଦୁଝର। ରାଜ୍ୟରେ ମୋଟ୍ ୧୩.୪୮ ଲକ୍ଷ ପରିବାରରେ କୁପୋଷଣ ଶିଶୁ ଏବଂ ଗର୍ଭବତୀ ରକ୍ତହୀନତାର ଶିକାର ଥିବା ବେଳେ କେବଳ କେନ୍ଦୁଝରରେ ଏହି ସଂଖ୍ୟା ୯୮ ହଜାର ୯୧୮ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।