ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ସେ ଅନେକ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥିତ ବାସଭବନକୁ ନିଆଯାଇଥିଲା । ପରେ ବିଧାନସଭା ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ପିପିଲି ସ୍ଥିତ ଫାର୍ମ ହାଉସକୁ ମହାରଥୀଙ୍କ ପାର୍ଥିବ ଶରୀର ନିଆଯାଇଥିଲା । ପରେ ବିରାଟ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାର ମହାରଥୀଙ୍କ ମରଶରୀର ନିଆଯାଇଥିଲା । ସେଠାରେ ତାଙ୍କ ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମିତ ପ୍ରଦୀପ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ପରିଚିତ । ସେ ଛାତ୍ର ଜୀବନରୁ ରାଜନୀତି ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିଲେ । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଗିରଫ କରାଯାଇଥିଲା । ୧୯୭୭ ମସିହାରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ର ସଂସଦ ସଭାପତିର ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ୧୯୯୫ ମସିହାରେ ଗୋଟିଏ ଥର ନିର୍ବାଚନରେ ପରାଜିତ ହେବାପରେ ସେ ଆଉ ପରାଜୟର ମୁହଁ ଦେଖିନାହାନ୍ତି । ପିପିଲି ବିଧାନସଭା ଆସନରୁ ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମଥର ନିର୍ବାଚିତ ହୋଇଛନ୍ତି । ସେ ମୋଟ ୭ଥର ବିଧାୟକ ହୋଇଥିବାବେଳେ ୨୦୦୦ରୁ ୨୦୦୪ ମସିହା ପର୍ୟ୍ୟନ୍ତ ସରକାରୀ ମୁଖ୍ୟ ସଚେତକ, ୨୦୧୧ରୁ ୨୦୧୨ ଜାନୁୟାରୀ ପର୍ୟ୍ୟନ୍ତ ୮ ମାସ ପାଇଁ କୃଷି ମନ୍ତ୍ରୀ ହୋଇଥିଲେ । ତାଙ୍କ ବିୟୋଗରେ ସାରା ମହଲରେ ଶୋକର ଛାୟା ଖେଳିଯାଇଛି ।