ଅର୍ଗସ ବ୍ୟୁରୋ: ଓଡିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ସାମୂହିକ ଉଦ୍ୟମ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ, ମାନ୍ୟବର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଆରେ ଲିଖିତ ଏକ ପତ୍ର ପଠାଇଛନ୍ତି। ଏନେଇ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ଭାଷାର ସୁରକ୍ଷା ଓ ବିକାଶ ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ଆପଣ ଭେଙ୍କେୟା ନାଇଡୁ ଓଡ଼ିଆରେ ଲିଖିତ ଏକ ପତ୍ର ମୋତେ ପଠାଇ ଥିବାରୁ ଧନ୍ୟବାଦ । ଆନ୍ତର୍ଜାତିକ ମାତୃଭାଷା ଦିବସରେ ଆପଣଙ୍କର ମାତୃଭାଷା ପ୍ରତି ସମ୍ବେଦନଶୀଳତା ଅତ୍ୟନ୍ତ ପ୍ରଶଂଶନୀୟ ।
ମୋର ମତ ଏହା ଯେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆମ ଓଡ଼ିଆ ଭାଷା ସମଗ୍ର ଭାରତବର୍ଷରେ ସ୍ଵତନ୍ତ୍ର ପରିଚୟ ରହିଛି । ଓଡ଼ିଆ ଭାଷାର ଯେଉଁ ସମୃଦ୍ଧ ସାହିତ୍ୟ ରହିଛି ଏହା କାଳଜୟୀ ଓ ବିଶ୍ଵକୁ ଦର୍ଶନ ଦେଉଥିବାର ସାହିତ୍ୟ ।
ସନ୍ଥକବି ଭୀମ ଭୋଇଙ୍କ "ମୋ ଜୀବନ ପଛେ ନର୍କେ ପଡିଥାଉ" କେବଳ ଓଡ଼ିଆ ଭାଷାରେ ହିଁ ଲେଖାଯାଇପାରିବ । ତେଣୁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଆମେ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର ।