ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ମଧ୍ୟ ହୋଇସାରିଛି । ଏହା ସହ ଚଳିତ ଥର ପ୍ରଥମ ଥର ପାଇଁ ଭିଭିପ୍ୟାଟ୍ ମେସିନ୍ ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ତେବେ ସଂଶୋଧିତ ଭୋଟର ତାଲିକା ଜନୁଆରୀ 4 ତାରିଖରେ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଥିଲା । ସଂଶୋଧନ ପ୍ରକ୍ରିୟା 15 ଦିନ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଏହି ସମୟ ସୀମାକୁ ବୃଦ୍ଧି କରାଯାଇ ଜାନୁଆରୀ 21 ତାରିଖ ପର୍ଯ୍ୟନ୍ତ ଅବଧି ବଢାଇ ଦିଆଯାଇଛି । ଭୋଟର ତାଲିକାରେ ଯଦି କୌଣସି ପ୍ରକାର ଭୁଲ୍ ରହିଛି ତାହାକୁ ସଂଶୋଧନ କରିବା ପାଇଁ ସେମାନଙ୍କ ପାଖରେ 21 ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ସଂଶୋଧିତ ଭୋଟର ତାଲିକା 21 ତାରିଖରେ ପ୍ରକାଶ ପାଇବ ।
ଭୋଟର ତାଲିକା ସଂଶୋଧନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ପାଖପାଖି ଗୋଟେ ମାସ ପର୍ଯ୍ୟନ୍ତ 7ଟି ଭ୍ୟାନ୍ ବୁଲିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ପ୍ରାୟ 5 ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି ।
ଏହା ସହ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟରେ ନିର୍ବାଚନ ପାଇଁ 37 ହଜାର 606 ଟି ବୁଥ୍ ରହିଥିଲା । ଏହି ବୁଥ୍ ସଂଖ୍ୟା ଚଳିତ ଥର ଆହୁରି ବଢିପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ଚଳିତ ନିବର୍ବଚନ ସମୟରେ ଭିଭିପ୍ୟାଟ୍ ଓ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ । ଏଥିପାଇଁ ପର୍ଯ୍ୟାପ୍ତ ପରିମାରଣର ଭିଭିପ୍ୟାଟ୍ ଓ ଇଭିଏମ୍ ମେସିନ୍ ପହଞ୍ଚି ସାରିଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଭୋଟର ତାଲିକା ସଂଶୋଧନ ପାଇଁ ଚଳିତ ଥର ୪ଟି ଫର୍ମରେ ୨୩ ଲକ୍ଷରୁ ଅଧିକ ଫର୍ମ ଆବେଦନ ହୋଇଛି । ଭୋଟର୍ ତାଲିକାରେ ନାମ ଦାଖଲ ପାଇଁ ଫର୍ମ ନଂ-୬ରେ ୧୨,୦୮,୩୯୬ ଟି ଫର୍ମ ଆବେଦନ ହୋଇଛି । ସେହିପରି ନାମ ବାଦ କରିବାକୁ ଫର୍ମ ନଂ-୭ରେ ୬,୪୭,୪୮୬ ଫର୍ମ ଦାଖଲ ହୋଇଛି । ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ-୮ରେ ୪,୫୯,୪୨୦ ଫର୍ମ ଆବେଦନ କରାଯାଇଥିବା ସୁରେନ୍ଦ୍ର କୁମାର କହିଛନ୍ତି ।
ଗତକାଲି ସନ୍ଧ୍ୟା ସୁଦ୍ଧା ୯୫ ପ୍ରତିଶତ ଫର୍ମ କାମ ଶେଷ ହୋଇଛି । ବାକି ରହିଥିବା କାମ ଦୁଇରୁ ତିନିଦିନ ମଧ୍ୟରେ ଶେଷ କରାଯିବ । ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରମାନେ ଜାନୁଆରୀ ୨୧ ପରେ ମଧ୍ୟ ଆବେଦନ କରିପାରିବେ । ମାତ୍ର ଭୋଟର ତାଲିକା ସଂଶୋଧନ କରିବାକୁ ୧୦ ଦିନ ସମୟ ଲାଗୁଥିବାରୁ ନୋମିନେସନର ଶେଷ ତାରିଖର ୧୦ ଦିନ ପୂର୍ବରୁ ମତଦାତା ମାନେ ଆବେଦନ କରିପାରିବା ନେଇ ସେ ଆଜି ସୂଚନା ଦେଇଛନ୍ତି ।
ସେହିପରି ଅକ୍ଟୋବର ୫ରେ ଚଳିତ ବର୍ଷ ଭିନ୍ନ କ୍ଷମଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା କରାଯାଇ ୨ ଲକ୍ଷ ଭିନ୍ନକ୍ଷମ ଭୋଟର ଚିହ୍ନଟ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ ୮୯,୩୩୭ ବାଲାଟ୍ ୟୁନିଟ୍, କଂଟ୍ରୋଲ ୟୁନିଟ୍ ୯୧,୮୬୯ ଓ ଭିଭିପ୍ୟାଟ୍ ୮୯,୩୫୯ ଉପଲବ୍ଧ ରହିଥିବା ନେଇ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
