ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀନଅର ସମ୍ମୁଖ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣ କାର୍ଯ୍ୟର ଚତୁର୍ଥ ଦିନରେ ସମସ୍ତ ନିର୍ମାଣକାରୀ ଲାଗିପଡିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ। ସେପଟେ ଦୋଳବେଦୀ କମାରଶାଳରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ବିଭିନ୍ନ କଣ୍ଟା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କମାର ସେବକ। ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ବକର୍ମା, କରତି, କମାର ଓ ଭୋଇ ସେବକ। ଚଳଚଞ୍ଚଳ ହୋଇ ପଡ଼ିଛି ଶ୍ରୀନଅର ସମ୍ମୁଖ ରଥଖଳା। ରଥ ଚକ ପାଇଁ ଆବଶ୍ୟକ ଥିବା ସମୁଦାୟ ୪୨ଟି ତୁମ୍ବରୁ କରତି ସେବାୟତ ମାନେ ବଡ଼ ବଡ଼ କାଠ ଗଣ୍ଡିକୁ କରତ ସାହାଯ୍ୟରେ କାଟି ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଇଛନ୍ତି। ଏହି ତୁମ୍ବକୁ ବିଶ୍ବକର୍ମା ମାନେ ସାଲ କରୁଥିବା ବେଳେ ରଥ ନିର୍ମାଣ କାର୍ଯ୍ୟର ଚତୁର୍ଥ ଦିନରେ ପ୍ରାୟ ୨୪ଟି ତୁମ୍ବ ନିର୍ମାଣ କାର୍ଯ୍ୟ ସାରିଛନ୍ତି। ତେବେ ଆଉ ଦୁଇଦିନ ପରେ ତୁମ୍ବରେ ଦାଗ ଦିଆଯାଇ ବିନ୍ଧ ଅନୁକୂଳ କରାଯିବ। ଏହାପରେ ବିନ୍ଧରେ ଅର ଖଞ୍ଜାଯିବା ସହ ପହି ଯୋଡାଯାଇ ଚକ ତିଆରି ହେବ। ଗୋଟିଏ ତୁମ୍ବରେ ଚାରିଗୋଟି ପହି ଲାଗିବ। ସେପଟେ ଦୋଳବେଦୀର ଅସ୍ଥାୟୀ କମାରଶାଳରେ କମାର ସେବକ ମାନେ ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି। ୩ଟି କମାରଶାଳରେ ପ୍ରାଥମିକ ଭାବେ ଅର କଣ୍ଟା ତିଆରି କରାଯାଉଛି। ରଥ ନିର୍ମାଣ କାର୍ଯ୍ୟରେ ୭୦ ପ୍ରକାରର କଣ୍ଟା ବ୍ୟବହାର ହୋଇଥାଏ। ଅର, ପନ୍ଦାରୀ, ଦଣ୍ଡା ବିଡିଆ, ବଳା, ଘଡି ମୁହଁ, ଗରଗରା, ଗୟଳ, ଯୋଖା ଓ ପ୍ରଭା କଣ୍ଟା ଆଦି ବିଭିନ୍ନ ପ୍ରକାରର କଣ୍ଟା କମାରଶାଳରେ ପ୍ରସ୍ତୁତ କରାଯାଇଥାଏ।
ସେପଟେ ରଥ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେନେଇ ରଥଖଳା ଆସି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅନୁଧ୍ୟାନ କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କ ପାଇଁ ପାନୀୟ ଜଳ, ଚିକିତ୍ସା, ଖାଦ୍ୟପେୟ ଆଦି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ଥଗିତ ରହିଥିବା କାମ ସହ ଚାଲିଥିବା କାମ ସମ୍ପର୍କରେ ବିଭିନ୍ନ ସେବାୟତଙ୍କ ସହ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଛଅଟି ଚକ ସହ ତିନୋଟି ଅଖ ଡେରାଯିବାର ବିଧି ରହିଛି। ଏହାକୁ ଆଖି ଆଗରେ ରଖି ସମସ୍ତ ନିର୍ମାଣକାରୀ ମାନେ ବେଶ୍ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର