ପଶ୍ଚିମ ଓଡ଼ିଶାରେ ବେଶ୍ ଜାକଜମକରେ ପାଳନ ହୋଇଛି ନୂଆଁଖାଇ । ପ୍ରତି ଘର ପ୍ରତି ପରିବାରରେ ଉତ୍ସାହ, ଉଦ୍ଦୀପନା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି ହୋଇଥିଲା । ଏହାପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ମହାନ୍ ଗଣପର୍ବରେ ସାମିଲ୍ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା ସମଲେଶ୍ବରୀଙ୍କ ଦର୍ଶନ ସହ ନବାନ୍ନ ଗ୍ରହଣ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଜୁହାର ଜଣାଇଛନ୍ତି । ସୁରେଶ ପୂଜାରୀ, ରବି ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ବରଗଡ଼ର ପ୍ରାଚୀନ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା ।
ଏହାପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଏକାଠି ବସି କରିଥିଲେ ନବାନ୍ନ ଭକ୍ଷଣ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କୁଶୁର୍ଲା ଗାଁରେ ଆରାଧ୍ୟା ବାବା ନୀଳକଣ୍ଠେଶ୍ବର ମହାଦେବଙ୍କ ନବାନ୍ନ ଲାଗି ପରେ ସାମୂହିକ ଭାବେ ୭୦୦ରୁ ଅଧିକ ଲୋକ ଏକାଠି ନୁଆଁ ଖାଇଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାରେ ବି ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଗଣପର୍ବ । ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି ପରେ ଅଞ୍ଚଳବାସୀ ନୂଆଁଖାଇ ପାଳନ କରିଛନ୍ତି । ବଲାଙ୍ଗୀରର ଇଷ୍ଟଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀଠାରେ ନବାନ୍ନ ଲାଗି ପରେ ରାଜପରିବାର ପକ୍ଷରୁ ଏକାଠି ବସି ନୂଆଁ ଖାଇଛନ୍ତି ।
ନୁଆଁଖାଇ ପାଇଁ ଉତ୍ସବ ମୁଖର ନୂଆପଡା ଜିଲ୍ଲାର ସୀମାନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ । ନିଜ ନିଜ ଇଷ୍ଟଦେବୀଙ୍କ ପାଖେ ନବାନ୍ନ ଲାଗି ପରେ ନୂଆଁ ଖାଇଛନ୍ତି ସମସ୍ତେ । ନୂଆଁଖାଇରେ ସୁବର୍ଣ୍ଣପୁରରୁ ଆସିଛି ନିଆରା ଦୃଶ୍ୟ । ପର୍ବ ଯୋଗୁଁ ଦୋକାନ ବଜାର ବନ୍ଦ ଥିବାବେଳେ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି ମାହେଶ୍ଵରୀ ସେନାର କର୍ମକର୍ତ୍ତା । କେବଳ ପଶ୍ଚିମ ଓଡ଼ିଶା ନୁହେଁ ପୂର୍ବ ଓଡ଼ିଶାରେ ବି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗାଁରେ ନୂଆଁଖାଇରେ ନୂଆ ଚାଉଳ ନୂଆ ଚୁଡ଼ା, ଗୁଡ କଦଳୀ ଠାକୁରଙ୍କ ପାଖେ 9 ପ୍ରକାର ବ୍ୟଞ୍ଜନ ଲାଗି ପରେ ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ସ୍ନେହ ଓ ଭାଇଚାରାର ପ୍ରତୀକ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। `ନୂଆଁଖାଇରେ ଓଡ଼ିଶାର ଭାଇ ଓ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସେହିଭଳି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢନ୍ତୁ ଓଡ଼ିଶା ଖବର