ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଯୋଗଦେଇ ଟିବି ରୋଗୀ ଭାବେ ଚିହ୍ନଟ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ୟ ରାସନ କିଟ୍ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମଗ୍ର ଜିଲ୍ଲାରେ ଟିବି ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ହେଉଥିବା ସତ୍ୱେ ପୁଷ୍ଟିକର ଆହାର ଅଭାବରୁ ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁନାହାନ୍ତି ।
ସେମାନଙ୍କୁ ନିୟମିତ ପୁଷ୍ଟିକର ଆହାର ଯୋଗାଇଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନରେ ନିକ୍ଷୟ ମିତ୍ର ଭାବେ ଜିଲ୍ଲାର ଶିଳ୍ପାନୁଷ୍ଠାନ ଓ ସ୍ୱାସ୍ଥ୍ୟ ବିଭାଗରର ଅଧିକାରୀଙ୍କ ସମେତ ବହୁ ଅନୁଷ୍ଠାନଙ୍କ ସହଯୋଗରେ ୬ମାସ ପର୍ଯ୍ୟନ୍ତ ଏହି ରାସନ କିଟ୍ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଦେ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଏହି କାର୍ଯ୍ୟକ୍ରମରେ ପୌରହିତ୍ୱ କରିବା ସହିତ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଅଭିମୁଖ୍ୟ ଓ ବାଲେଶ୍ୱର ଜିଲ୍ଲାରେ ଏହି ଅଭିଯାନର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।
ଜିଲ୍ଲାରେ ଚିହ୍ନଟ ୧୫ଶହ ଟିବି ରୋଗୀଙ୍କୁ ପ୍ରତ୍ୟେକ ମାସ ନିଃଶୁଳ୍କ ଔଷଧ ପ୍ରଦାନ କରାଯାଉଥିବା ବେଳେ ପୁଷ୍ଟିକର ଆହାର ଭାବେ ଚାଉଳ, ଡାଲି, ବାଦାମ, ମିଲ୍କ ପାଉଡର ପ୍ରଭୃତି ସମ୍ବଳିତ କିଟ୍ ପ୍ରଦାନ ହେବ । ଏହା ପ୍ରତ୍ୟେକ ବ୍ଲକସ୍ତରରେ ଆଶାକର୍ମୀଙ୍କ ଦ୍ୱାରା ରୋଗୀଙ୍କ ଘରକୁ ଘର ପ୍ରଦାନ ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ । ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ ଭାରତ ପାଇଁ ରହିଥିବା ଲକ୍ଷ୍ୟ ନିଶ୍ଚିତ ସଫଳ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । ଜିଲ୍ଲାରେ ଏହି ଅଭିଯାନ ପାଇଁ ସହଯୋଗ ପ୍ରଦାନ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସିଡିଏମଓ ଡାକ୍ତର ଜଗଦ୍ଦେବ ଧନ୍ୟବାଦ ଜଣାଇଥିଲେ ।
ଏହି ଅଭିଯାନରେ ଟାଟା ଷ୍ଟିଲ ଫାଉଣ୍ଡେସନ, ହାଇଲାଣ୍ଡ ଏଗ୍ରୋ ଫୁଡ, ଇଣ୍ଡିଆନ ଓଏଲ, ଫାଲକନ ମେରାଇନ, ଆଇସିଆଇସିଆଇ ବ୍ୟାଙ୍କ, ହରି ଉଦ୍ୟୋଗ, ଇମାମୀ ପେପର ମିଲସ, ଓରି ପ୍ଲାଷ୍ଟ, ଅଙ୍କୁର ପ୍ଲାଷ୍ଟିକ ପ୍ରଭୃତି ଶିଳ୍ପାନୁଷ୍ଠାନ ପ୍ରମୁଖ ନିକ୍ଷୟ ମିତ୍ର ଭାବେ ସହାୟତା ପ୍ରଦାନ କରିଛନ୍ତି । ତେବେ ଏହି ଅଭିଯାନରେ ସାମିଲ ହୋଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ହରି ଉଦ୍ୟୋଗର ନିର୍ଦ୍ଦେଶକ ସଞ୍ଜୟ ଦାସ ।