
ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ଘଟିଛି ଅଭାବନୀୟ ଘଟଣା । ଭୁଲ ଇଞ୍ଜେକସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ । କିନ୍ତୁ ସେପଟେ ଏ ସମ୍ପର୍କରେ ଆସିଷ୍ଟାଣ୍ଟ ଜେଲର୍ କୁଅଁର ଏକ୍କା କହିଛନ୍ତି, ବିଚାରଧୀନ କଏଦୀ ଜୋସେଫଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାଠାରେ । ମୃତକ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି ।
ମୃତକ ଜୋସେଫ ୨୦୧୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିଲେ । ଗତକାଲି ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଜେଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ପ୍ରଥମେ ମେଡିସିନ ଓ ପରେ ଇଞ୍ଜେକସନ ଦିଆଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିଲା।
ତେବେ ମୃତକଙ୍କ ପରିବାରବର୍ଗ ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି। ଭୁଲ୍ ଇଞ୍ଜେକ୍ସନ ଦେବାରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ। ପୂର୍ବରୁ କେବେ ଛାତିରେ ଯନ୍ତ୍ରଣା ହୋଇଥିବା ଅଭିଯୋଗ କରି ନ ଥିଲେ। ୨ ସପ୍ତାହ ପୂର୍ବରୁ ସେ ଶେଷ ଥର ଦେଖା କରିଥିବା ବେଳେ ୩ ଦିନ ପୂର୍ବରୁ ଜୋସେଫଙ୍କୁ ତାଙ୍କ ଭାଇ ଦେଖା କରିଥିଲେ। ସେତେବେଳେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ତେଣୁ ହଠାତ୍ ଛାତି ଯନ୍ତ୍ରଣା ଯୋଗୁ ତାଙ୍କ ମୃତ୍ୟୁ ହେବା ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି।
ଏହି ଘଟଣାର ତଦନ୍ତ ସହ ତୁରନ୍ତ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ପରିବାର ଲୋକେ। ଏପରିକି ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ଶବଗୃହରେ ଥିବା ବେଳେ ତାହାକୁ ପରିବାର ଲୋକେ ଗ୍ରହଣ କରୁନାହାନ୍ତି। ଏନେଇ ରଘୁନାଥପାଲି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ଆଲୋଚନା ଚାଲିଥିଲେ ମଧ୍ୟ ଘଟଣାର ସମାଧାନ ହୋଇପାରିନି। ଜୋସେଫଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇଥିବା ଅଭିଯୋଗ ଆଣି ଜେଲ୍ ମଧ୍ୟରେ କଏଦୀମାନେ ଆନ୍ଦୋଳନ କରିଛନ୍ତି ।
