ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ । ସେମାନଙ୍କ ନିବେଦନ ରହିବ, ସଂଗରୋଧରେ ରୁହନ୍ତୁ ।
ଅତିକମରେ ୭ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରୁହନ୍ତୁ । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରନ୍ତୁ । ଟେଷ୍ଟ ପଜିଟିଭ ଆସିଲେ, ଜିନମ ସିକ୍ୱେନ୍ସିଂ କଲେ ଜଣା ପଡ଼ିବ, ଓମିକ୍ରନ ଅଛି ନା ନାହିଁ । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି । ଏହା ସତ୍ୟ ଯେ ଓମିକ୍ରନର ସଂକ୍ରମଣ ହାର ଅଧିକ ।
ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ରାଷ୍ଟ୍ରକୁ ବ୍ୟାପିଗଲାଣି । କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ । WHO ବି କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ । ଟୀକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ନାହିଁ । ଟୀକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟୀକା କାମ କରୁଛି । ତେଣୁ ଆତଙ୍କିତ ନହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବା ।
କୋଭିଡ ପରବର୍ତ୍ତୀ ଜଟିଳତାକୁ ପୋଷ୍ଟ କୋଭିଡ ବା ଲଙ୍ଗ କୋଭିଡ କମ୍ପ୍ଲେକ୍ସିଟି ବୋଲି କୁହାଯାଉଛି । ଏହି ରୋଗ ନୂଆ । ଏହା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । କୋଭିଡ ପରେ କିଛି ମାତ୍ରାରେ ଦୁର୍ବଳତା, କାଶ ଲାଗି ରହିବା, ମାନସିକ ଚାପ ରହିବା ଆଦି ଲକ୍ଷଣ ଦେଖାଦେଉଛି । ତା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । ନୂଆ ନୂଆ ତଥ୍ୟ ଆସୁଛି । କୋଭିଡ ପରେ ଏସବୁ ଲକ୍ଷଣ ଦେଖାଦେଲେ, ଡାକ୍ତରଙ୍କ ସହ ପରାମର୍ଶ କରିବା । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଉଛି । ନିର୍ଦ୍ଦିଷ୍ଟ କୌଣସି ଟ୍ରିଟମେଣ୍ଟ ନାହିଁ ।