
ଗତକାଲି ଜମ୍ମୁକାଶ୍ମୀରର ପୁଲୱାମାରେ ଘଟିଥିଲା ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣ । ଯେଉଁଥିରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ଅନେକଙ୍କ ସ୍ଥିତି ଗମ୍ଭୀର ରହିଛି । ୪୦ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ରହିଛନ୍ତି । ଜଗତସିଂହପୁର ନାଉଗାଁ ବ୍ଲକର ଜଣେ ସହିଦ ହୋଇଥିବାବେଳେ ଆଉ ଜଣେ କଟକ ନିଆଳିର ମନୋଜ ଜେନା । ମନୋଜଙ୍କ ସହିଦ ଖବର ପହଞ୍ଚିବା ପରେ ନିଆଳିରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।
ଆଶା ଥିଲା ଖରାଛୁଟିରେ ମନୋଜ ଫେରିବେ ଗାଁକୁ । ନିଜ କୁନି ଝିଅର ହାତ ଧରି ତାକୁ ଚାଲି ଶିଖାଇବେ । ଜନ୍ମକଲା ବାପା, ମାଓ ଭଉଣୀ ସହ ସମୟ ବିତାଇବେ । ସ୍ତ୍ରୀର ହାତରନ୍ଧା ଖାଦ୍ୟ ଖାଇବେ । ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି । କିଛି ବୁଝିବା ଶୁଣିବା ପୂର୍ବରୁ ଅକାଳରେ ଚାଲିଯାଇଛି ତାଙ୍କ ଜୀବନ । ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । ବିବାହର ୨ ବର୍ଷରେ ଜୀବନର ସବୁ କିଛି ହରାଇଛନ୍ତି । ଜୀବନ ମରଣ କ’ଣ ଜାଣିବା ପୂର୍ବରୁ ନିଜ ବାପାକୁ ହରାଇଛି ଏକ କୋମଳ ଶିଶୁ । ଆଜି ମନୋଜଙ୍କୁ ଝୁରୁଛି ତାଙ୍କ ପରିବାର ଓ ଗାଁ ମାଟି ।
ପୁଲୱାମା ହମଲାରେ ୪୦ଜଣ ଯବାନଙ୍କ ସହିଦ ଖବର ପୁରା ଦେଶବାସୀଙ୍କ ଶବ୍ଧ କରିଛି । ଏଥିରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଜଗତସିଂହପୁରର ପ୍ରସନ୍ନ ସାହୁ ଓ କଟକ ନିଆଳିର ମନୋଜ ବେହେରା । ଗତ ୬ ତାରିଖରେ ମନୋଜ ସରକାରୀ ଛୁଟି ସାରି ଜମ୍ମୁ ଫେରିଥିଲେ । ଏପରିକି ଘଟଣା ଘଟିବାର ୧ ଘଣ୍ଟା ପୂର୍ବରୁ ସେ ନିଜ ମା ଓ ସ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଏହି ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିବା ପରେ ସାରା ରାଜ୍ୟ ମର୍ମାହତ ହୋଇପଡିଛି । ଆକ୍ରମଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଦେଶରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଘଟି ଅନେକ ଯବାନ ସହିଦ ହେଉଥିବା ବେଳେ ଏହି ଆକ୍ରମଣର ଦୃଢ଼ ଯବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏହାସହ ବିଶ୍ୱସ୍ତରରେ ଏହି ଘଟଣାକୁ ନିନ୍ଦା କରାଯାଇଛି ।
