ଜଳ ଟିକେ ପାଇଁ ଆଜି ବି ଲୋକଙ୍କୁ କେମିତି ସଂଘର୍ଷ କରିବାକୁ ପଡୁଛି । ଏ ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତର ଅପର୍ତ୍ତିପୁର ଗ୍ରାମର ଦୃଶ୍ୟ । ହାତରେ ଗଗରା ଓ ବାଲଟି ଧରି ଗାଁର ଶେଷ ମୁଣ୍ଡକୁ ଯିବାକୁ ପଡୁଛି । ସେଠି ପୁଣି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ଗାଁ ଲୋକଙ୍କୁ ।
ଫଳରେ ଦୀର୍ଘ ବର୍ଷ ଧରି ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି ସେମାନଙ୍କୁ। ଗାଁରେ ଥିବା 3ଟି ନଳକୂପରୁ 2ଟି ସମ୍ପୂର୍ଣ ଅଚଳ ହେଇସାରିଛି । ଆଉ ଗୋଟିଏ ନଳକୂପରେ ସମସ୍ତ ଗାଁ ଲୋକ ନିର୍ଭର କରୁଛନ୍ତି । ସେ ନଳକୂପରେ ମଧ୍ୟ ସମାନ ଅବସ୍ଥା । କିଛି ବର୍ଷ ଧରି ସେ ନଳକୂପରେ ମଧ୍ୟ ଆଇରନ ମିଶା ଗୁଣ୍ଡ ପାଣି ସହିତ ଗୋଳିଆ ପାଣି ବାହାରୁଛି । ଏହା ସହ ଘଂଟାଏ ମୁଡ଼ିଲେ ଅଧା ଲିଟର ପାଣି ବାହାରୁଛି । ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ପାଣିକୁ ଛାଣି ବ୍ୟବହାର କରୁଛନ୍ତି ।
ମାସେ କି ଦୁଇ ମାସ ନୁହଁ। ବର୍ଷ ବର୍ଷ ଧରି ଏ ସମସ୍ୟା ଭୋଗୁଛନ୍ତି ଗାଁଲୋକେ । ଏହି ନଳକୂପ ଉପରେ ଗାଁର 150ପରିବାରରୁ ଉର୍ଦ୍ଧ୍ବ ପରିବାର ନିର୍ଭର କରିଥାନ୍ତି । ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେବା ପରେ ଦିନ ଯାକ ସମୟ ନଷ୍ଟ ହେବା ସହିତ ବହୁ ଅସୁବିଧା ଭୋଗୁଛନ୍ତି ଗାଁଲୋକ ।
ଏହା ସହ ଏହି ପାଣି ବ୍ୟବହାର କରିବା ଯୋଗୁ ବିଭିନ ସମୟରେ ରୋଗ ବେମାରରେ ଆକ୍ରାନ୍ତ ହେଉଛନ୍ତି ଗାଁଲୋକେ। ବାରମ୍ବାର ଏ ସମ୍ପର୍କରେ ପଂଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ଅଧିକାରୀମାନେ ସମାଧାନ ଦିଗରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ସମସ୍ୟା ଭୋଗୁଛନ୍ତି ଗାଁଲୋକ । ବର୍ଷ ବର୍ଷ ଧରି ମରାମତି ଅଭାବରୁ ନଳକୂପ ଗୁଡିକର ଏପରି ଅବସ୍ଥା । ଅନ୍ୟ ପଟରେ ଖୁବ ଶୀଘ୍ର ନୂତନ ନଳକୂପ ବସାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ କେବେ ଅପର୍ତ୍ତିପୁର ଗାଁଲୋକଙ୍କ ଦୁଃଖ ଦୂର ହେବ ତାହାହିଁ ଦେଖିବାକୁ ବାକି ରହିଲା ।