ପୁରୀ: ଶ୍ରୀମନ୍ଦିରରେ ଅବଢ଼ା ରାନ୍ଧିବା ପାଇଁ ଜାଳେଣୀ କାଠ ସୃଷ୍ଟି କରିଛି ସଙ୍କଟ । ଯାହାକୁ ନେଇ ଚିନ୍ତାରେ ପଣ୍ଡା । ବନ ଉନ୍ନୟନ ନିଗମରୁ ଆବଶ୍ୟକ ପରିମାଣର କାଠ ମିଳୁନାହିଁ ବୋଲି ସୂଚନା ମିଳିଛି । ବାଧ୍ୟ ହୋଇ ଅବଢ଼ା ପାଇଁ ବାହାରୁ ଚଢ଼ା ଦରରେ କିଣାଯାଉଛି କାଠ । ଯାହାର ବୋଝ ଭକ୍ତଙ୍କ ମୁଣ୍ଡରେ ପଡ଼ୁଛି । ତେଣେ ବନ ବିଭାଗ ଅଧିକାରୀଙ୍କ ଅଜବ ନିୟମ । ଶବଦାହ ପାଇଁ ସେମାନେ କାଠ ଦେବେ, ମହାପ୍ରଭୁଙ୍କ ଭୋଗ ପାଇଁ କାଠ ଦେବାକୁ ବାଧ୍ୟ ନୁହନ୍ତି ବୋଲି ଦର୍ଶାଇଛନ୍ତି ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଅଧିକାରୀ।
ଏନେଇ ନିଯୋଗ ଡିଏଫଓଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତଙ୍କୁ ଜଣାଇ ସାରିଛନ୍ତି । ହେଲେ କୌଣସି ପ୍ରକାର ପ୍ରତିକାର ହୋଇ ପାରୁନାହିଁ । ଆଗକୁ ପର୍ବପର୍ବାଣୀ ଆସୁଛି। ଭକ୍ତଙ୍କ ଗହଳି ବଢ଼ିଲେ ଅବଢ଼ା ପରିମାଣ ଅଧିକ ଆବଶ୍ୟକ ହେବ । ସେତେବେଳେ କାଠ ନମିଳିଲେ, ଅବଢ଼ା ଦର ବଢ଼ିବା ସମ୍ଭାବନା ଅଧିକ ଅଛି । ଏ ସମ୍ପର୍କରେ ଡିଏଫଓ କହିଲେ, ଆମେ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ କାଠ ଯୋଗାଉଛୁ । ସ୍ୱର୍ଗଦ୍ୱାରକୁ କାଠ ଦେବା ଆମେ ପ୍ରାଥମିକତା ଭାବେ ଗ୍ରହଣ କରିଛୁ । ଠାକୁରଙ୍କ ମହାପ୍ରସାଦ ପ୍ରସ୍ତୁତି ପାଇଁ କାଠ ନିଗମ ଯୋଗାଇ ପାରୁନାହିଁ । କାଠ ମିଳୁନାହିଁ । ଏହା ବ୍ୟତୀତ ରୋଷଘରକୁ କାଠ ଯୋଗାଇବା ଦାୟିତ୍ବ ଲକ୍ଷ୍ମୀଭଣ୍ଡାର ନିଲାମ ନେଇଥିବା ବ୍ୟକ୍ତିଙ୍କର । ସେମାନ ଏହା ଯୋଗାଡ଼ କରିବେ ବୋଲି ସେ କହିଥିଲେ ।
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତକାରୀ ସୁଆରମାନଙ୍କ ସୂଚନା ଅନୁଯାୟୀ, ରୋଷଘରେ ଅବଢ଼ା ପ୍ରସ୍ତୁତି ପାଇଁ ଦୈନିକ ୫୦ ରୁ ୫୫ କୁଇଣ୍ଟାଲ ଜାଳେଣୀ କାଠର ଆବଶ୍ୟକତା ରହିଛି । ରୋଷଘରକୁ କାଠ ଯୋଗାଇବା ପାଇଁ ବନ ଉନ୍ନୟନ ନିଗମ କାଠ ଦେବ ବୋଲି ଧାର୍ଯ୍ୟ ହୋଇଛି । ଏପରିକି ଏକ ସ୍ୱତନ୍ତ୍ର ପରମିଟ୍ ମଧ୍ୟ ଦିଆଯାଇଛି । ହେଲେ ଠାକୁରଙ୍କ ମହାପ୍ରସାଦ ପାଇଁ କାଠ ମିଳୁନାହିଁ । ଏବେ ନିଗମରୁ ମାତ୍ର ୧୫ ରୁ ୧୮ କୁଇଣ୍ଟାଲ କାଠ ଦିନକୁ ମିଳୁଛି । ସେଥିରେ ଅବଢ଼ା ପ୍ରସ୍ତୁତି ଅସମ୍ଭବ । ତେଣୁ ସୁଆର ମହାସୁଆର ନିଯୋଗ ବାହାର ବେପାରୀଙ୍କ ଠାରୁ ଚଢ଼ା ମୂଲ୍ୟରେ କାଠ କିଣୁଛନ୍ତି । ନିଗମ ମୂଲ୍ୟ ଠାରୁ ବାହାରୁ କୁଇଣ୍ଟାଲ ପିଛା ଏକ ଶହ ଟଙ୍କାରୁ ଅଧିକ ମୂଲ୍ୟ ହେଉଥିବାରୁ ଏହା ଅବଢ଼ା ମୂଲ୍ୟ ବୃଦ୍ଧିର କାରଣ ହେଉଛି ।
