ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ଶୀତୁଆ ସକାଳରେ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଲାଗିହୁଏ ଏହି ପହିଲି ଭୋଗ । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗିହୁଏ । ଗୋପାଳବଲ୍ଲଭରେ ପହିଲି ଭୋଗ ସମ୍ପନ୍ନ ହୋଇଥାଏ । କଥିତ ଅଛି ଯେ, ଏହି ସମୟରେ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଏ ପହିଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଢି ଭୋରରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ ।
ପହିଲି ଭୋଗରେ ରହିଛି ରାଜାଙ୍କ ଖେଇ । ମହାପ୍ରଭୁଙ୍କ ଅଦ୍ୟ ବା ପ୍ରଥମ ସେବକ ହିସାବରେ ସମସ୍ତ ଦ୍ରବ୍ୟ ଏବଂ ସେବା ଉପରେ ରହିଛି ରାଜାଙ୍କ ଅଧିକାର । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ରହିଛି ରାଜାଙ୍କ ଏ ଖେଇର ଉଲ୍ଲେଖ । ଏ ପହିଲି ଭୋଗ, ଅନ୍ୟ ଭୋଗ ଭଳି ଆନନ୍ଦ ବଜାରରେ ବିକ୍ରି ହୁଏ ନାହିଁ । ଏହାକୁ ସେବାୟତ ମାନଙ୍କ ମଧ୍ୟରେ ବାଣ୍ଟି ନିଆଯାଏ । ତେଣୁ ବଟଗଣେଶଙ୍କ ପାଖରେ ଦେଉଳିକରଣ ଯେତେବେଳେ ପହିଲି ଭୋଗକୁ ପ୍ରତିହାରୀ, ସୁଆରବଡୁ, ତଢ଼ାଉ କରଣ, ଦେଉଳିକରଣଙ୍କ ମଧ୍ୟରେ ବାଣ୍ଟି ଥାନ୍ତି ସେତେବେଳେ ଜଗନ୍ନାଥଙ୍କ ଆଦ୍ୟସେବକ ରାଜାଙ୍କ ଖେଇ ମଧ୍ୟ ତାଙ୍କୁ ପଠା ଯାଇଥାଏ । ତେଣୁ ତାଙ୍କ ପ୍ରତିନିଧି ଆସି ଏକ ତାଡ଼ରେ ନେଇ ଶ୍ରୀନଅରରେ ପହଞ୍ଚାଇଥାନ୍ତି ପହିଲି ଭୋଗ ।କାଳିଆର ପ୍ରିୟ ଏହି ପହିଲିଭୋଗ ପାଇବା ପାଇଁ ସଭିଙ୍କ ଆଦର ରହିଥିବା ବେଳେ ଭାଗ୍ୟରେ ଥିଲେ ସେବାୟତ ମାନଙ୍କ ଠାରୁ ଏହି ପହିଲିଭୋଗ ପ୍ରସାଦ ମିଳି ପାରିଥାଏ ।