ଅଧିକ ପଢନ୍ତୁ : ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି
ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ପଡ଼ିଥାଏ । ପୁରାଣ ପ୍ରସଙ୍ଗ ଅନୁସାରେ, ରାଧା ଥିଲେ ଅଯୋନିସଂଭୂତା । ଦିନେ ବୃଷଭାନୁଙ୍କର ପତ୍ନୀ କୀର୍ତ୍ତିଦା ପୁଷ୍କରିଣୀକୁ ସ୍ନାନ କରିବାକୁ ଯାଇଥିବା ବେଳେ, ଜଳ ମଧ୍ୟରେ ପ୍ରସ୍ଫୁଟିତ ନୀଳ କମଳ ଭିତରେ ଏକ ପରମ ସୁନ୍ଦରୀ କନ୍ୟା କ୍ରୀଡ଼ା କରୁଥିବାର ଦେଖିଥିଲେ । ସେ ସେହି କନ୍ୟାଙ୍କୁ ଆଣି ନିଜର କନ୍ୟା ରୂପେ ପ୍ରତିପାଳନ କରିଥିଲେ ।
ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା' ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ । ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ କରିଥାନ୍ତି ।
କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରସନ୍ନ କରି ଦିଅନ୍ତି, କୃଷ୍ଣ ଆପେ ଆପେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।