ସେ ସମୟରେ ଗୋଟିଏ ଓଟ ଓ ତା ମାଲିକ ରାଜସ୍ଥାନରୁ ଓଡିଶାର ବୌଦ୍ଧ ଜିଲ୍ଲାକୁ ଆସିଥାନ୍ତି । ମାଲିକ ଜଣକ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁ କୁ ଗାଁ ବୁଲି ମରୁଭୂମିର ପଶୁକୁ ଦେଖାଇ ଖୁବ ଭଲ ଟଙ୍କା ରୋଜଗାର କରୁଥିଲେ। କ’ଣ ହେଲା କେଜାଣି କିଛି ଦିନ ପରେ ଓଟ ସାଙ୍ଗରେ ମାଲିକ ନଥିଲା। ଓଟଟି ମୁଣ୍ଡ ଟେକି ବୌଦ୍ଧ ସହର ସହ ନିକଟବର୍ତ୍ତୀ ଗାଁ ଗୁଡିକରେ ଏକା ବୁଲୁଥିବା ଦେଖାଗଲା । ତାର ଗତିବିଧି ଓ ଆଚରଣ ଦେଖି ସତେ ଲାଗୁଥାଏ ଯେମିତି ଛୋଟରୁ ପୋଷି ବଡ଼ କରିଥିବା ମାଲିକକୁ ଓଟଟି ଖୋଜୁଛି ।
ଏପରି ଓଟକୁ ଦେଖି କରୋନାରେ ତାର ମାଲିକଙ୍କ ମୃତ୍ୟୁ ହୋଇଥିବା କିମ୍ବା ରୋଗୀଣା ଓଟକୁ ଛାଡ଼ି ମାଲିକ ନିଜ ରାଜ୍ୟକୁ ଚାଲି ଯାଇଥିବା ଆଲୋଚନା ହେଉଥିଲା। ଏମିତି କିଛିଦିନ ଓଟଟି ବୁଲିବା ପରେ ଖାଇବା କୁ ନ ପାଇ ଶେଷରେ ଅସୁସ୍ଥ ହୋଇ ବୌଦ୍ଧ ଜିଲ୍ଲାର ବନ୍ଧାପଥର ଗ୍ରାମ ନିକଟରେ ପଡି ରହିଥିଲା । ଦୀର୍ଘ ଦିନ ପରେ ଓଟଟିର ପୁଣି ଦେଖା ମିଳିଛି ।
ହେଲେ ଏଥର ଏକା ନୁହେଁ । ଜଣେ ମାଲିକ ଓଟକୁ ସାଙ୍ଗରେ ନେଇ ବୁଲାଉଥିବା ଦେଖିବାକୁ ମିଳିଛି । ଓଟକୁ ବୁଲାଉଥିବା ବ୍ୟକ୍ତି ଜଣକ ହେଲେ ବୈରାଗୀ ଭବସାଗର । ତାଙ୍କ ଘର ବନ୍ଧାପଥର ଗ୍ରାମରେ । ଓଟଟି ବୌଦ୍ଧ ସହରଠାରୁ ପ୍ରାୟ ଦଶ କିମି ଦୂର ବନ୍ଧାପଥର ଗାଁରେ ଅସୁସ୍ଥ ଅବସ୍ଥାରେ ସୋଇ ଥିବା ବେଳେ ବୈରାଗୀଙ୍କ ନଜରକୁ ଆସିଥିଲା। ଦିନ ମଜୁରିଆ ଭାବରେ କାମ କରୁଥିବା ବୈରାଗୀ ତାକୁ ଖାଇବାକୁ ଦେଇ ବାନ୍ଧି ରଖିଥିଲେ।
କିନ୍ତୁ କିଛି ଦିନ ପରେ ଖାଇବା ଓ ଚିକିତ୍ସା ସୁବିଧା ଦେଇ ନପାରି ଛାଡ଼ି ଦେଇଥିଲେ। ତାର ଠିକି ଦୁଇ ଦିନ ପରେ ଓଟଟି ପୁଣି ତାଙ୍କ ଘରକୁ ଫେରି ଆସିଥିଲା। ଯାହା ବୈରାଗୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବ ବିହ୍ବଳ କରିଥିଲା। ଶେଷରେ ଓଟକୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଓଟଟି ଅସୁସ୍ଥ ଥିବା ବେଳେ ନାକ ଉପରେ ଘା’ ରହିଥିଲା। ମାଗିଯାଚି ପ୍ରାଣୀ ଚିକିତ୍ସକଙ୍କ ନିକଟରେ ନେହୁରା ହୋଇ ବହୁ ଚିକିତ୍ସା ଦେବା ପରେ ସୁସ୍ଥ ହୋଇଥିଲା।
ଏବେ ଓଟଟି ତାଙ୍କ ପରିବାରର ସଦସ୍ୟ ପାଲଟି ଯାଇଛି । ନିୟମିତ ସାମ୍ପୁ ଲଗାଇ ସ୍ନାନ କରାଇବା ସହ ନିମ୍ବ ଡାଳ ଓ ହାଟରୁ ପରିବା ଆଣି ଖାଇବାକୁ ଦେଉଛନ୍ତି। ଜରାଜିର୍ଣ୍ଣ ଅବସ୍ଥାରେ ଥିବା ଓଟଟି ଏବେ ସୁସ୍ଥ ଦେଖାଯାଉଛି। ବୈରାଗୀଙ୍କ ପୋଷା ମାନି ଇସାରା କଲେ ଉଠ୍ ବସ୍, ଆଗ,ପଛ ହେଉଛି। ଏବେ ବୈରାଗୀ ଓଟକୁ ନେଇ ବିଭିନ୍ନ ଗାଁ କୁ ଗାଁ ବୁଲି ଦେଖାଉଛନ୍ତି । ମରୁଭୂମିର ଜାହାଜ କୁହାଯାଉଥିବା ଓଟକୁ ଦେଖିବା ପାଇଁ ସମସ୍ତଙ୍କ ଆଗ୍ରହ ।
ସମସ୍ତେ ଦେଖିବା ସହ ଓଟ ଉପରେ ବସୁଛନ୍ତି । ତା’ ବଦଳରେ କିଛି ଟଙ୍କା ମଧ୍ୟ ମିଳୁଥିବା ବୈରାଗୀ କହନ୍ତି । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଯାନୀଯାତ୍ରାକୁ ମଧ୍ୟ ଆୟୋଜକମାନେ ନିମନ୍ତ୍ରଣ କରୁଛନ୍ତି। ଫଳରେ ଏବେ ଓଟଟି ବୈରାଗୀଙ୍କ ରୋଜଗାରର ମାଧ୍ୟମ ସାଜିଛି। ବିଭିନ୍ନ ଗାଁରେ ବୁଲିବା ବେଳେ ଲୋକେ ଟଙ୍କା, ଚାଉଳ ଓ ଧାନ ଦେଉଛନ୍ତି। ସେଥିରେ ତେଲଲୁଣ ର ସଂସାର ଚଳିଯାଉଥିବା ବୈରାଗୀ କହନ୍ତି।