ବିଜେ ପ୍ରତିମାଙ୍କ ପଞ୍ଚାମୃତ ସ୍ନାନ ବିଧି ବଢ଼ି ଫୁଲ ଚନ୍ଦନ ଲାଗି ବେଶ ଅନୁଷ୍ଠିତ ହେବ । ଶୀତଳ ଭୋଗ ଅର୍ପଣ କରାଯିବ । ବନ୍ଦାପନା ନୀତି ବଢ଼ିଲେ ଦକ୍ଷିଣୀ ଘରକୁ ଠାକୁରେ ବିଜେ ହେବେ। ସେପଟେ ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁଯାୟୀ ପାଳନ କରାଯିବ।
ସେପଟେ ସ୍ନାନଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ କିଭଳି ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ସେନେଇ ଆଜି ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଦଇତାପତି ସେବକ ମାନେ ଉପସ୍ଥିତ ଥିଲେ। ଆସନ୍ତା 2 ତାରିଖରୁ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି, ପହଣ୍ଡି, ଅଣସର ସମୟରେ ଗୁପ୍ତନୀତି ଏବଂ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସମ୍ପାଦନ କରିବେ। ତେବେ ସ୍ନାନଯାତ୍ରା ଦିନ ଗଜାନନ ବେଶକୁ ଭକ୍ତମାନେ କିଭଳି ସ୍ପଷ୍ଟ ଦର୍ଶନ କରିବେ ଓ ହାତୀଵେଶ ଓଲାଗି ବେଳେ କୌଣସି ବିଶୃଙ୍ଖଳା ନ ହେବ ସେନେଇ ଦଇତାପତି ସେବକ ମାନେ ଯତ୍ନବାନ ରହିବେ । ଅନ୍ୟପଟେ ଆଜି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ତୃତୀୟ ହରିବୋଲ ପକାଇ ଭୋଇ ସେବକ ମାନେ ତିନିରଥର ଚାରିନାହକା ଉଠାଇଥିବା ବେଳେ ଆଗକୁ ପର୍ଯ୍ୟାୟ କ୍ରମେ କାମ ଜାରି ରହିବ ବୋଲି ରଥନିର୍ମାଣକାରୀ ସେବକ ମାନେ କହିଛନ୍ତି।
ଆସନ୍ତାକାଲି ମହାପ୍ରଭୁ ଦେବୀ ରୁକ୍ମିଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା ସହ ଆସନ୍ତା 4 ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା 20 ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ବାହୁଡିବେ ମହାପ୍ରଭୁ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର