
କେନ୍ଦୁଝର: ବସ ଷ୍ଟପରେ ଛିଡ଼ା ହୋଇଥିବା ମହିଳା ଙ୍କୁ ଅପହରଣ କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାହା ପୁଣି ସରକାରୀ କ୍ୱାଟରରେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ । ଗତକାଲି ଯାଜପୁର ଅଞ୍ଚଳର ଜଣେ ମହିଳା ନିଜ ସମ୍ପର୍କୀୟ ଘରକୁ ବୁଲି ଆସିଥିଲେ । ବସରେ ଯିବା ପାଇଁ ଶାଳପଡା ବସ ଷ୍ଟପ ନିକଟରେ ଛିଡ଼ା ହୋଇଥିବା ବେଳେ ୫ଜଣ ଯୁବକ ଘରେ ଛାଡ଼ିଦେବୁ କହି ସେଠାରୁ ମହିଳାଙ୍କୁ ଅପହରଣ କରି ନେଇଥିଲେ ।
ମହିଳାଙ୍କୁ ଆଣି ଶାଳପଡାରେ ଥିବା ଜଳ ସମ୍ପଦ ବିଭାଗର ଝାଡୁଦାରଙ୍କ କ୍ୱାଟରରେ ବନ୍ଦ କରି ରଖିଥିଲେ । କୌଶଳକ୍ରମେ ମହିଳା ଜଣଙ୍କ ତାଙ୍କ ସମ୍ପର୍କୀୟ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବନ୍ଦ କୋଠରୀ ମଧ୍ୟରୁ ଉଦ୍ଧାର କରିବା ସହ ୫ ଜଣ ଯୁବକଙ୍କୁ ଅଟକ ରଖିଛି । ସେହି ବନ୍ଦ କୋଠରୀ ମଧ୍ୟରେ ମାଡ଼ ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ମହିଳା ଜଣଙ୍କ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି ।

