ଏହି ପକ୍ଷୀର ଦେହର ରଙ୍ଗ ଧଳା ହୋଇଥିବା ବେଳେ ଦୁଇ ପଟ ଡେଣାରେ ଅତି ଅଳ୍ପ କିଛି କଳା ବା ମାଟିଆ ରଙ୍ଗର ପ୍ୟାଚ ରହିଛି । ଏଇ ବିରଳ ପକ୍ଷୀଟିର ଆଖିର ରଙ୍ଗ କଳା ହୋଇଥିବା ବେଳେ ମୁଣ୍ଡଟି ସମ୍ପୂର୍ଣ୍ଣ ଧଳା ରଙ୍ଗର ହୋଇଅଛି । ଏଇ ବିରଳ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀଟିକୁ ଠାବ କରିଛନ୍ତି ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ବାର୍ଡ ଗାଇଡ଼ ମଧୁ ବେହେରା ।
ଆଜି ମଙ୍ଗଳାଯୋଡିରେ ଟୁରିଷ୍ଟମାନଙ୍କୁ ନେଇ ଡ଼ଙ୍ଗାରେ ବୁଲାଉ ଥିବା ବେଳେ ବାଲିଆଯୋରି ନାଳ ନିକଟରେ ସେ ଏହି ଧଳା ପକ୍ଷୀଟିକୁ ଖାଦ୍ୟ ଅନ୍ୱେଷଣ କରୁଥିବାର ଦେଖିବାକୁ ପାଇଥିଲେ । ନିଜ କ୍ୟାମେରାରେ କିଛି ଫୋଟୋ ଉଠେଇ ସେ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠେଇଥିଲେ । ଶୁଭେନ୍ଦୁ ଏଇ ପକ୍ଷୀ ଟିକୁ ଟେମନିକସ୍ ଷ୍ଟିଣ୍ଟ ବୋଲି ଚିହ୍ନଟ କରିବା ସହ ଓଡ଼ିଶାରେ ଏଇ ପକ୍ଷୀର ଏଇ ଭଳି ଲିୟୁସିଷ୍ଟିକ ମ୍ୟୁଟେସନ ଦେଖା ଯିବା ପ୍ରଥମ ଓ ସାରା ଭାରତରେ ଦ୍ଵିତୀୟ ଘଟଣା ବୋଲି କହିଥିଲେ ।
୨୦୨୦ ମସିହାରେ ଛତିଶଗଡ଼ରେ ଏକ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ ଦେଖାଯାଇଥିଲା, ହେଲେ ତାହାର ମୁଣ୍ଡ ସାଧାରଣ ମାଟିଆ ରଙ୍ଗର ଥିବା ବେଳେ ଦେହରେ କମ୍ ପରିମାଣର ଧଳା ରଙ୍ଗ ଥିଲା । ତେବେ ମଧୁ ଠାବ କରିଥିବା ପକ୍ଷୀର ଅଧିକାଂଶ ରଙ୍ଗ ସମ୍ପୂର୍ଣ୍ଣ ଧଳା ।
ଏଇ ଟେମନିକସ୍ ଷ୍ଟିଣ୍ଟ (Calidris temminckii) ପକ୍ଷୀମାନେ ସାଧାରଣତଃ ଉତ୍ତର ୟୁରୋପ ଏବଂ ଏସୀୟ ଦେଶମାନଙ୍କରେ ବାସ କରିଥାନ୍ତି । ଭାରତ ଓ ଓଡ଼ିଶାକୁ କେବଳ ଶୀତ ଦିନରେ ହିଁ ଆସିଥାନ୍ତି, ଶୀତ ଦିନ ସରିବା ପରେ ପୁଣି ନିଜ ସ୍ଥାନମାନଙ୍କୁ ସେମାନେ ବାହୁଡ଼ି ଯାଇଥାନ୍ତି । ଦକ୍ଷିଣ ସ୍କାଣ୍ଡିନେଭିଆ, ରୁଷିଆ, ନରୱେ, ଫିନଲାଣ୍ଡ, ସ୍ଵିଡେନ ଆଦି ଦେଶରେ ଏଇ ପକ୍ଷୀମାନେ ନିଜର ପ୍ରଜନନ କରିଥାନ୍ତି ।
ଚଢେଇମାନଙ୍କ କ୍ଷେତ୍ରରେ ବର୍ଣ୍ଣ ଗତ ମ୍ୟୁଟେସନକୁ ଚିହ୍ନଟ କରିବା କଷ୍ଟ ସାଧ୍ୟ ହୋଇଥାଏ । ଏଇ ଭଳି ଧଳା ରଙ୍ଗ ବିଶିଷ୍ଟ ମ୍ୟୁଟେସନ ଡାଇଲୁସନ ଏବଂ ପ୍ରୋଗ୍ରେସିଭ ଗ୍ରେଇଂ ଯୋଗୁଁ ମଧ୍ୟ ହୋଇଥାଏ । ଯେହେତୁ ଏଇ ଟେମନିକସ୍ ଷ୍ଟିଣ୍ଟ କ୍ଷେତ୍ରରେ ତାର ଇତିହାସ ବା ପିଲାଦିନର ରଙ୍ଗ ବିଷୟରେ ଆମ ପାଖରେ ତଥ୍ୟ ନାହିଁ, ଏଣୁ ଏଇ ପକ୍ଷୀଟିକୁ ଆମେ ଲିୟୁସିଷ୍ଟିକ ବୋଲି କହି ପାରିବା ବୋଲି ଶୁଭେନ୍ଦୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧୁ ବେହେରା ମଙ୍ଗଳାଯୋଡି ରେ ଅନ୍ୟ ଦୁଇଟି ପକ୍ଷୀ ପ୍ରଜାତିଙ୍କର ବିରଳ ଲିୟୁସିଷ୍ଟିକ ମ୍ୟୁଟେସନ ଠାବ କରିଥିଲେ । ସେଇ ଦୁଇଟି ଥିଲେ ଲିୟୁସିଷ୍ଟିକ ନର୍ଦନ୍ ଶୋଭେଲର ଏବଂ କମନ ମୁର ହେନ । ତେବେ କରୋନା କଟକଣା ହେତୁ ଉକ୍ତ ଦୁଇ ବିରଳ ପକ୍ଷୀଙ୍କୁ ଦେଖିବା ପାଇଁ ଅଧୁକ ପର୍ଯ୍ୟଟକ ଆସି ପାରିନଥିଲେ । ହେଲେ ଏବେ କରୋନା କଟକଣା ଅନେକ ମାତ୍ରାରେ ହଟି ଯାଇଥିବାରୁ ମଙ୍ଗଳାଯୋଡିକୁ କିଛି ପକ୍ଷୀ ପ୍ରେମୀ ଖାସ ଏଇ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀକୁ ଦେଖିବା ଏବଂ ତାର ଫୋଟୋ ଉଠେଇବା ପାଇଁ ନିହାତି ଆସିବେ ବୋଲି ଆମେ ଆଶାବାଦୀ ବୋଲି ମଧୁ କହିଛନ୍ତି ।